ରାୟଗଡା (ଗୋପୀନାଥ ଗୌଡ଼): ଗତ ଜୁନ୍ ୧୭ ତାରିଖରେ ଚାନ୍ଦିଲି ଥାନା ଅନ୍ତର୍ଗତ ଖଲିଗୁଡା ଗ୍ରାମ ନିକଟରୁ ଏକ ବନ୍ଦ ବ୍ୟାଗ୍ ଭିତରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାର ରାୟଗଡା ଜିଲ୍ଲା ପୁଲିସକୁ ମିଳିଛି ବଡ ସଫଳତା I ରାୟଗଡା ପୁଲିସ ଆନ୍ଧ୍ର ପ୍ରଦେଶ ପୁଲିସ ସହାୟତାରେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି I ଅଭିଯୁକ୍ତ ଜଣଙ୍କ ହେଲେ କାଞ୍ଚରାପାଲମ ପୁଲିସ ଷ୍ଟେସନ ଅଧୀନରେ ଥିବା ଦୁର୍ଗା ନଗର ଅଂଚଳର ବୋଲିସେଟ୍ଟି ସୁରେଶ ୩୨ ବର୍ଷ I ସେ ଜଣେ ଅଟୋ ଡ୍ରାଇଭର। ବ୍ୟାଗରେ ମିଳିଥିବା ଯୁବତୀ ଜଣକ ସନ୍ଧ୍ୟା I ଘରୋଇ କାମରେ ସାହାଯ୍ୟ ପାଇଁ ଅଭିଯୁକ୍ତ ସୁରେଶ ମୃତକ ସନ୍ଧ୍ୟାକୁ ଘରକୁ ଆଣିଥିଲେ I କିନ୍ତୁ ପରବର୍ତୀ ସମୟରେ ସୁରେଶ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ I ଯୁବତୀ ଜଣଙ୍କ ସୁରେଶକୁ ବାହା ହେବା ପାଇଁ ଚାପ ପକାଇଥିଲେ I କିନ୍ତୁ ସୁରେଶ କର୍ଣ୍ଣପାତ ନ କରିବାରୁ ଯୁବତୀ ଜଣଙ୍କ ଘରକୁ ଆସି ଘଟଣା ସମ୍ପର୍କରେ ଝଗଡା କରିଥିଲେ I ସେତେବେଳେ ହିଁ ସୁରେଶ ସନ୍ଧ୍ୟା ଙ୍କୁ ପ୍ରବଳ ମାଡ ମାରିଥିଲେ ଏବଂ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା I
ବ୍ୟାଗ କିଣି ମୃତଦେହକୁ ଭର୍ତି କରି ଇଣ୍ଟରସିଟି ଟ୍ରେନ ଯୋଗେ ରାୟଗଡା ଆଣିଥିଲା I ରାୟଗଡା ଷ୍ଟେସନରୁ ଅଟୋ ଯୋଗେ ବ୍ୟାଗ କୁ ନେଇ ଖଲିଗୁଡା ନିକଟସ୍ଥ ପଡିଆରେ ଫିଙ୍ଗି ଦେଇଥିଲେ। ସୂଚନାରୁ ଜଣାପଡିଛି ମୃତଦେହ ଥିବା ବ୍ୟାଗ୍ଟି ଏକ ଅଟୋରିକ୍ସା ଯୋଗେ ଘଟଣାସ୍ଥଳକୁ ଆଣି ପକାଯାଇଥିବାର ପ୍ରମାଣ ମିଳିଥିଲା । ରାୟଗଡା ପୁଲିସ ଅଟୋ ଦ୍ୱାରା ଅଣାଯାଇ ବ୍ୟାଗ ଫିଙ୍ଗା ଯାଇଥିବା ସ୍ପଷ୍ଟ ହେବା ପରେ ରାୟଗଡା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ସହରରେ ଚଳାଚଳ କରୁଥିବା ସମସ୍ତ ଅଟୋ ସହ ଚାଳକଙ୍କୁ ଗୋଟିଏ ସ୍ଥାନକୁ ଡାକିଥିଲେ। ଅଟୋ ଚାଳକଙ୍କ ସୂଚନା ଅନୁଯାୟୀ ସନ୍ଦିଗ୍ଧ ଜଣଙ୍କ ଏଟିଏମ ରୁ ପଇସା ଉଠାଇଥିବା ସୂଚନା ଦେଇଥିଲେ। ପୁଲିସ ଏଟିଏମରେ ଥିବା ସିସି ଟିଭି ଫୁଟେଜରୁ ସନ୍ଦିଗ୍ଧ ର ଫୋଟ ପାଇ ଆନ୍ଧ୍ର ପୁଲିସର ସହାୟତା ନେଇ ଅଭିଯୁକ୍ତ ପାଖରେ ପହଞ୍ଚିଥିଲା।
ରାୟଗଡା ଜିଲ୍ଲା ଚାନ୍ଦିଲି ପୁଲିସର ଏକ ସ୍ୱତନ୍ତ୍ର ଟିମ ଅଭିଯୁକ୍ତ ସୁରେଶକୁ ରାୟଗଡା ଆଣିଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଜୁନ୍ ୧୭ ତାରିଖ ସକାଳେ ଖଲିଗୁଡା ଗ୍ରାମ ନିକଟରେ ଥିବା ଏକ କାର୍ ଶୋ’ରୁମ୍ର ମ୍ୟାନେଜର ଶୋ’ରୁମ୍ ଖୋଲିବା ବେଳେ ବାହାରେ ପଡ଼ିଥିବା ଏକ କଳା ରଙ୍ଗର ବ୍ୟାଗ୍ରୁ ଦୁର୍ଗନ୍ଧ ବାହାରୁଥିବା ଦେଖି ସନ୍ଦେହ କରିଥିଲେ। ପ୍ରାଥମିକ ତଦନ୍ତରୁ ମହିଳାଙ୍କ ହାତ ବନ୍ଧା ଅବସ୍ଥାରେ ଥିବା ଜଣାପଡ଼ିଥିଲା। ଏନେଇ ଚାନ୍ଦିଲି ଥାନାରେ ମାମଲା ନଂ ୧୯୮/୨୦୨୬ ରୁଜୁ ହୋଇଥିବା ବେଳେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଥିଲା । ହତ୍ୟାର ୪୫ ଦିନ ପରେ ରାୟଗଡା ଜିଲ୍ଲା ପୁଲିସ କୁ ଏହି ବହୁ ଚର୍ଚ୍ଚିତ ଘଟଣାରେ ସଫଳତା ମିଳିଛି I
