ସୁବର୍ଣ୍ଣପୁର ରେ ବିଶ୍ୱ ଆଦିବାସୀ ଦିବସ ପାଳିତ।

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ): ବିଶ୍ୱ ଆଦିବାସୀ ଦିବସ ଅବସରରେ ରବିବାର ସୁବର୍ଣ୍ଣପୁର ନ୍ୟୁ ଟାଉନ ହଲ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି l ପ୍ରଥମେ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ହଜାର ହଜାର ଆଦିବାସୀ ଭାଇଭଉଣୀ ନୃତ୍ୟ, ଗୀତ, ଢାପ, ଡକା, ମାଦଳ, ନିଶାନ ସମେତ ବିଭିନ୍ନ ପାରମ୍ପରିକ ବାଦ୍ୟର ତାଳେ ତାଳେ ନୃତ୍ୟ କରି ବିଶାଳ ଶୋଭାଯାତ୍ରାରେ ସୁବର୍ଣ୍ଣପୁର ସହର ପରିକ୍ରମା କରିଥିଲେ। ପରେ ସୁବର୍ଣ୍ଣପୁର ଟାଉନ ହଲ୍‌ରେ ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଥିବାବେଳେ ସଭାରେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ ନୃପରାଜ ସାହୁ, ବୌଦ୍ଧ ଏସ୍‌ଡିସି ଅଧ୍ୟକ୍ଷ, ସୁବର୍ଣ୍ଣପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଯୋଗେନ୍ଦ୍ର ଭୋଇ, ଗୁପ୍ତେଶ୍ୱର ମଲ୍ଲିକ, ଜଗନ୍ନାଥ ଧରୁଆ, ପ୍ରଫୁଲ୍ଲ ତୁମୁନିଆଁ, ରାମଚନ୍ଦ୍ର ମୁର୍ମୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ l

ସଭାରେ ଆଦିବାସୀ ସମାଜର ସାମ୍ବିଧାନିକ ଅଧିକାର, ଜଳ–ଜଙ୍ଗଲ–ଜମିର ସୁରକ୍ଷା, ଶିକ୍ଷା ଓ ନିଯୁକ୍ତି, ଜମି ଓ ଜଙ୍ଗଲ ଅଧିକାର, ସାମାଜିକ ଓ ଅର୍ଥନୈତିକ ନ୍ୟାୟ, ଆଦିବାସୀ ଭାଷା–ସଂସ୍କୃତି–ପରମ୍ପରାର ସଂରକ୍ଷଣ, ଗ୍ରାମସଭାର ଅଧିକାର ଏବଂ ଆଦିବାସୀ ସମାଜ ସମ୍ମୁଖୀନ ହେଉଥିବା ବିଭିନ୍ନ ଜ୍ୱଳନ୍ତ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା l ବକ୍ତାମାନେ କହିଥିଲେ ଯେ ଭାରତୀୟ ସମ୍ବିଧାନ ଅନୁସୂଚିତ ଜନଜାତିଙ୍କୁ ପ୍ରଦାନ କରିଥିବା ସୁରକ୍ଷା, ସଂରକ୍ଷଣ ଓ ଅଧିକାର କେବଳ ଆଇନର ପୃଷ୍ଠାରେ ସୀମିତ ରହିଲେ ଚଳିବ ନାହିଁ। ଏହାର ନିଷ୍ଠାପର, ପାରଦର୍ଶୀ ଓ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ତୃଣମୂଳସ୍ତରରେ ସୁନିଶ୍ଚିତ ହେବା ଆବଶ୍ୟକ। ଆଦିବାସୀଙ୍କ ବିକାଶ ସହ ସେମାନଙ୍କ ଅସ୍ମିତା, ପାରମ୍ପରିକ ଅଧିକାର, ଭାଷା, ସଂସ୍କୃତି ଓ ସ୍ୱାଭିମାନର ସୁରକ୍ଷାକୁ ସମାନ ଗୁରୁତ୍ୱ ଦିଆଯିବା ଉପରେ ମଧ୍ୟ ଜୋର ଦିଆଯାଇଥିଲା।ଏହି ସମାବେଶ ଅବସରରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ସୁବର୍ଣ୍ଣପୁର ପକ୍ଷରୁ ଆଦିବାସୀ ସମାଜର ବିକାଶ, ଅଧିକାର ଓ ସୁରକ୍ଷା ସମ୍ପର୍କିତ ୯ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଜରିଆରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା।

ଦାବିଗୁଡ଼ିକ ମଧ୍ୟରେ ଆଦିବାସୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଓ ଅର୍ଥନୈତିକ ବିକାଶ, ଅନ୍ୱେଷା ଯୋଜନା, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ, ଖଣି ଲିଜ୍ ବନ୍ଦ, ଜଙ୍ଗଲ ଜମି ଅଧିକାର ସ୍ୱତ୍ୱ ପ୍ରଦାନ, ଆଦିବାସୀ ଭାଷା ସଂସ୍କୃତି ଓ ଦେବଦେବୀଙ୍କ ସୁରକ୍ଷା ସମେତ ସୁବର୍ଣ୍ଣପୁର ଜିଲ୍ଲାକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରେ ସାମିଲ କରିବା ଭଳି ପ୍ରମୁଖ ପ୍ରସଙ୍ଗ ସ୍ଥାନ ପାଇଥିଲା।ସମାବେଶରୁ ସ୍ପଷ୍ଟ ବାର୍ତ୍ତା ଦିଆଯାଇଥିଲା ଯେ ଆଦିବାସୀଙ୍କ ଅସ୍ତିତ୍ୱ ସହ କୌଣସି ସାଲିସ୍ ନାହିଁ; ଆଦିବାସୀଙ୍କ ଅସ୍ମିତା ସହ କୌଣସି ସାଲିସ୍ ନାହିଁ; ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ସହ କୌଣସି ସାଲିସ୍ ନାହିଁ।ଜଳ–ଜଙ୍ଗଲ–ଜମି କେବଳ ପ୍ରାକୃତିକ ସମ୍ପଦ ନୁହେଁ; ଏହା ଆଦିବାସୀଙ୍କ ଜୀବନ, ଜୀବିକା, ଇତିହାସ, ସଂସ୍କୃତି, ପରମ୍ପରା ଓ ପରିଚୟର ଅବିଚ୍ଛେଦ୍ୟ ଅଂଶ ବୋଲି ସମାବେଶରେ ମତପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *

Powered by Joinchat