ଶିଖ ବିରୋଧୀ ଦଙ୍ଗାର ଦୋଷୀ କଂଗ୍ରେସର ପୂର୍ବତନ ସାଂସଦ ସଜ୍ଜନ କୁମାର ମୃତ।

ନୂଆଦିଲ୍ଲୀ (ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ): କଂଗ୍ରେସର ପୂର୍ବତନ ସାଂସଦ ସଜ୍ଜନ କୁମାରଙ୍କର ୮୪ ବର୍ଷ ବୟସରେ ପରଲୋକ ଘଟିଛି । ୧୯୮୪ ମସିହାର ଶିଖ ବିରୋଧୀ ଦଙ୍ଗା ମାମଲାରେ ସେ ଦିଲ୍ଲୀର ତିହାର ଜେଲରେ ଆଜୀବନ କାରାଦଣ୍ଡ କାଟୁଥିଲେ । ରିପୋର୍ଟ ଅନୁସାରେ, ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ମୃତ ଅବସ୍ଥାରେ ଅଣାଯାଇଥିଲା ।

୧୯୮୪ ଶିଖ ବିରୋଧୀ ଦଙ୍ଗା ସହ ଜଡ଼ିତ ଏକ ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ୨୦୧୮ ଡିସେମ୍ବର ୧୭ରେ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ ।ଏହି ରାୟକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । କିନ୍ତୁ ସେଠାରୁ ମଧ୍ୟ ତାଙ୍କୁ ଆଶ୍ୱସ୍ତି ମିଳିନଥିଲା । ପ୍ରାୟ ୭ ବର୍ଷ ଧରି ସେ ତିହାର ଜେଲରେ ବନ୍ଦୀ ଥିଲେ । ୧୯୮୪ର ଶିଖ ବିରୋଧୀ ଦଙ୍ଗା ସମୟରେ ଜସୱନ୍ତ ସିଂହ ଓ ତାଙ୍କ ପୁଅ ତରୁଣଦୀପ ସିଂହଙ୍କ ହତ୍ୟା ମାମଲାରେ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ହିଂସା ସମୟରେ ଜସୱନ୍ତ ସିଂହ ଓ ତାଙ୍କ ପରିବାରକୁ ଟାର୍ଗେଟ୍‌ କରିବା ପାଇଁ ଭିଡ଼କୁ ଉସକାଇଥିବା ଅଭିଯୋଗରେ ମଧ୍ୟ ସେ ଦୋଷୀ ହୋଇଥିଲେ ।

୨୦୨୬ ଏପ୍ରିଲରେ ଅସୁସ୍ଥ ପତ୍ନୀଙ୍କୁ ଭେଟିବା ପାଇଁ ସଜ୍ଜନ କୁମାର ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ । ତେବେ କୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରିଥିଲେ । ସୂଚନା ଯୋଗ୍ୟ ଯେ ସଜ୍ଜନ କୁମାର ତିନିଥର ସାଂସଦ ରହିଥିଲେ । ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ ।

Leave a Reply

Your email address will not be published. Required fields are marked *

Powered by Joinchat