ରାୟଗଡ଼ (ଗୋପୀନାଥ ଗୌଡ଼): ଶନିବାର ଭୋର୍ ୪ଟାରୁ ଲଗାଣ ବର୍ଷା ଯୋଗୁଁ ରାସ୍ତା ଘାଟ ପାଣି ହିଁ ପାଣି ନଜରକୁ ଆସୁଛି। ରାୟଗଡା ସହର ରୁ ଜେକେ ପୁର ପର୍ୟ୍ୟନ୍ତ ଯାଇଥିବା ୩୨୬ନମ୍ବର ଜାତୀୟ ରାଜପଥର ଅବସ୍ଥା ବେହାଲ ହୋଇପଡିଛି। ସଂକୀର୍ଣ୍ଣ ରାସ୍ତା ସାଙ୍ଗକୁ ରାସ୍ତା ଉପରେ ଜମା ହୋଇ ରହିଥିବା ପାଣି କୁତ୍ରିମ ବନ୍ଧ ସୃଷ୍ଟି କରିଛି । ଗାଡ଼ି ଚାଳକ ମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ରାସ୍ତା ଉପରେ ହୋଇଥିବା ବଡ଼ ବଡ଼ ଗାତ ଓ ପାଣି ଜମି ରହି ସମତଳ ଥିବାର ଭ୍ରମ ସୃଷ୍ଟି କରୁଛି। କିନ୍ତୁ, ସେହିବାଟ ଦେଇ ଯିବା ପରେ କାହାର ଗାଡ଼ି ଷ୍ଟାର୍ଟ ବନ୍ଦ ହୋଇଯାଉଛି ତ ଆଉ କିଏ ଗାତ ଥିବା ନ ଜାଣି ସେହି ବାଟ ଦେଇ ଯିବା ଦ୍ୱାରା ଗାଡ଼ିରୁ ପଡ଼ି ଛୋଟ ମୋଟ ଆଘାତ ଲାଗିଥିବା ମଧ୍ୟ ନଜରକୁ ଆସିଛି। ଯାହାଦ୍ଵାରା ଦୁଇ ଚକିଆ ଓ ଚାରି ଚକିଆ ଯାନ ବାହାନ ଚଳାଚଳ ବାଧା ସୃଷ୍ଟି ହୋଇଛି। ଅନ୍ୟପଟେ ଜେକେ ପୁର ବ୍ରିଜ୍ ଉପରେ ପାଣି ଜମା ହୋଇ ରହିବା ଦ୍ୱାରା ହାଲୁକା ଓ ଭାରୀଯାନ ଚଳାଚଳରେ ଚାଳକ ମାନଙ୍କ ପାଇଁ ବହୁତ୍ କଷ୍ଟ ସାଧ୍ୟ ହେଉଥିଲା।
ଦୁଇ ଚକିଆ କିମ୍ବା ଓଟୋ ଚାଳକ,ଛୋଟ କାର ଗୁଡ଼ିକ ବ୍ରିଜ୍ ଉପରେ ଜମା ହୋଇ ରହିଥିବା ପାଣି ଯୋଗୁଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହି ଥିଲେ। ଅତ୍ୟନ୍ତ ଭୟଭୀତ ହୋଇ ବ୍ରିଜ୍ ପାର ହୋଇଥିବାର ଦୃଶ୍ୟ ଗାଡ଼ି ଚାଳକ ଏବଂ ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଛି। ଗୋଟାଏ ପଟେ ଖାଲଖମା ଭରା ସଂକୀର୍ଣ୍ଣ ରାସ୍ତା ସାଙ୍ଗକୁ ଅନ୍ୟପଟେ ଅଳ୍ପକେ ବର୍ଷାରେ ବ୍ରିଜ୍ ଉପରେ ପାଣି ଜମା ହୋଇ ରହିବା ଦ୍ୱାରା ଜେକେ ପୂର ଓ ରାୟଗଡ଼ ବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବ୍ରିଜ୍ ନିର୍ମାଣ ହୋଇ ଦୀର୍ଘ ବର୍ଷ ବିତିଯାଇଛି। ବାରମ୍ବାର ସ୍ଥାନୀୟବାସୀ ଙ୍କ ଅଭିଯୋଗ ପରେ ମଧ୍ୟ ଆଖିଦୃଶିଆ କାର୍ଯ୍ୟ ଓ ପଦକ୍ଷେପ ନେଉ ନାହାନ୍ତି ବିଭାଗୀୟ ଅଧିକାରୀ।
ଏହି ବ୍ରିଜ ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ଜିବନ ପଥ କହିଲେ ଭୁଲ ହେବ ନାହିଁ। ଜେକେ ପେପର୍ ମିଲ, ଇମ୍ଫା, ବେଦାନ୍ତ ଭଳି କମ୍ପାନୀକୁ ଯାଉଥିବା ଶହ ଶହ ଗାଡ଼ି ଆଜି ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି ସମୟ ଧରି ରାସ୍ତା ପାର୍ଶ୍ବରେ ଅପେକ୍ଷା କରି ରହିଥିଲେ। ଲୋକଙ୍କ ବାରମ୍ୱାର ଅଭିଯୋଗ ପରେ ମଧ୍ୟ ଜିଲ୍ଲା ପ୍ରଶାସନର ନିରବତା ସ୍ଥାନିୟ ଲୋକଙ୍କ ଧର୍ଯ୍ୟ ର ପରୀକ୍ଷା ନେଉଛନ୍ତି କି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଅତିଶିଘ୍ର ବର୍ଷା ଯୋଗୁଁ ବ୍ରିଜ ଉପରେ ଜମା ରହୁଥିବା ପାଣି ନିଷ୍କାସନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହିତ ବ୍ରିଜ୍ ମରାମତି ପାଇଁ ଦାବି ହୋଇଛି। ନଚେତ୍ ଆଗାମୀ ଦିନରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାସ୍ତା ଉପରେ ଧାରଣାରେ ବସିବୁ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।
