କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ) : ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ନାରଦପୁରସ୍ଥିତ ମା’ ଗ୍ରାମ୍ୟଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂତନ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଥମ ବାର୍ଷିକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଆଜି ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏହି ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ଛାତ୍ରୀମାନଙ୍କ ପକ୍ଷରୁ ମନୋମୁଗ୍ଧକର ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା।
ଏହି ଅବସରରେ ବିଦ୍ୟାଳୟର ଅଧ୍ୟାପକ ଜୟନ୍ତ କୁମାର ବେହେରା, ଯଯାତିକେଶରୀ ରାଉତ ଓ ବାଦଲ କୁମାର ବେହେରା ନୂତନ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଜୀବନଯାପନ, ଉତ୍ତମ ବ୍ୟବହାର ଏବଂ ନିଷ୍ଠାର ସହ ଅଧ୍ୟୟନରେ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷା ସହିତ ନୈତିକ ମୂଲ୍ୟବୋଧ ଓ ଶୃଙ୍ଖଳାକୁ ଗୁରୁତ୍ୱ ଦେଲେ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ସଫଳତା ହାସଲ କରିପାରିବେ ବୋଲି ଅଧ୍ୟାପକମାନେ ମତବ୍ୟକ୍ତ କରିଥିଲେ।ଅଧ୍ୟାପକ ସୁଶୀଲ କୁମାର ମହାନ୍ତଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ପରିଚାଳିତ ହୋଇଥିଲା। ଉତ୍ସବକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା।
