କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହନ୍ତ) : ଚମ୍ପୁଆ ବନାଞ୍ଚଳରେ ହାତୀ ଉପଦ୍ରବ ପରେ ଏବେ ବାରହା ଉପଦ୍ରବ ଚାଷୀଙ୍କ ଚିନ୍ତା ବଢ଼ାଇଛି। ବାରହା ପଲ ଜଙ୍ଗଲରୁ ବାହାରି ଚାଷଜମିରେ ପଶି ବ୍ୟାପକ ଭାବେ ମକା ଓ କନ୍ଦମୂଳ ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି।ଗୋଧୂଳି ଗ୍ରାମର ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ବାରହା ପଲ ଦଳ ଦଳ ହୋଇ ଚାଷଜମିରେ ପଶି ଏକର ଏକର ମକା ଓ କନ୍ଦମୂଳ ଫସଲ ନଷ୍ଟ କରିଛନ୍ତି। ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବା ସହ ଜୀବିକାକୁ ନେଇ ଚିନ୍ତା ବଢ଼ିଛି।ବାରହା ଉପଦ୍ରବ ର ସ୍ଥାୟୀ ପ୍ରତିକାର ଓ କ୍ଷତିଗ୍ରସ୍ତ ଫସଲର ଆକଳନ କରି ଉଚିତ କ୍ଷତିପୂରଣ ଦାବିରେ ଗୋଧୂଳି ଗ୍ରାମର ଚାଷୀମାନେ ଚମ୍ପୁଆ ବନାଞ୍ଚଳ କାର୍ଯ୍ୟାଳୟରେ ପହଞ୍ଚି ବନାଞ୍ଚଳ ଅଧିକାରୀ ସାଗରରାଜ ନାୟକଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ଏଥିସହ ବାରହାଙ୍କ ଉପଦ୍ରବ ରୋକିବା ପାଇଁ ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।ମକା ଓ କନ୍ଦମୂଳ ଚାଷ ପାଇଁ ଗୋଧୂଳି ଗ୍ରାମର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଗ୍ରାମର ପ୍ରାୟ ୮୦ ପ୍ରତିଶତ ପରିବାର ଏହି ଚାଷ ଉପରେ ନିର୍ଭରଶୀଳ ହୋଇ ଜୀବିକା ନିର୍ବାହ କରୁଥିବାରୁ ବାରହାଙ୍କ ଦ୍ୱାରା ଫସଲ ନଷ୍ଟ ହେବା ଚାଷୀଙ୍କ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରୁଛି।କେବଳ ଗୋଧୂଳି ନୁହେଁ, ଚମ୍ପୁଆ ବ୍ଲକର ଆଖପାଖ ବିଭିନ୍ନ ଗ୍ରାମରେ ମଧ୍ୟ ବାରହା ଉପଦ୍ରବ ଯୋଗୁଁ ଫସଲ ନଷ୍ଟ ହେଉଥିବା ଅଭିଯୋଗ ହୋଇଛି। ତେଣୁ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବନବିଭାଗ ତୁରନ୍ତ ଉପଯୁକ୍ତ ପଦକ୍ଷେପ ନେବା ସହ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ ନିୟମାନୁସାରେ କ୍ଷତିପୂରଣ ପ୍ରଦାନ କରିବାକୁ ଗୋଧୂଳି ଗ୍ରାମର ଚାଷୀମାନେ ଦାବି କରିଛନ୍ତି।
