କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହନ୍ତ) : ଗ୍ରାମାଞ୍ଚଳବାସୀଙ୍କ ସୁବିଧାଜନକ ଯାତାୟାତ ପାଇଁ ସରକାରଙ୍କ ପକ୍ଷରୁ ‘ମୋ ବସ୍’ ସେବା ଆରମ୍ଭ କରାଯାଇଛି। ପଞ୍ଚାୟତସ୍ତରରେ ଏହି ସେବାକୁ ସମ୍ପ୍ରସାରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବାବେଳେ, ଚମ୍ପୁଆ ବ୍ଲକ ଅନ୍ତର୍ଗତ ସୁନାପଶି ପଞ୍ଚାୟତବାସୀ ଏଥିରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି।ସୁନାପଶି ପଞ୍ଚାୟତକୁ ଏଯାଏ ‘ମୋ ବସ୍’ ସେବା ପହଞ୍ଚି ନଥିବାରୁ ଯାତାୟାତ କ୍ଷେତ୍ରରେ ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏହି ସମସ୍ୟାକୁ ନେଇ ଗ୍ରାମବାସୀ ଚମ୍ପୁଆ ବିଡିଓ ସ୍ମୃତି ରଞ୍ଜନ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ, ସମସ୍ୟାର ସମାଧାନ ନେଇ ବିଡିଓ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ତେବେ ପ୍ରତିଶ୍ରୁତି ପୂରଣ ନହେଲେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ପଞ୍ଚାୟତକୁ ଅଚଳ କରିଦେବାକୁ ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି।
