ଦେଶୀ ମଦ ଭାଟି ଉଚ୍ଛେଦ ଦାବିରେ ମହିଳାଙ୍କ ଆନ୍ଦୋଳନ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ):ମଦ ବିକ୍ରି ବନ୍ଦ କରିବା ସହ ଦେଶୀ ମଦ ଭାଟି ଉଚ୍ଛେଦ ଦାବିରେ ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା ଥାନା ପିତାମହୁଲ ଅଞ୍ଚଳରେ ମଦ ବିରୋଧୀ ଆନ୍ଦୋଳନ ତୀବ୍ର ହୋଇଛି। ଗ୍ରାମରେ ମଦ ବିକ୍ରି ଯୋଗୁଁ ପାରିବାରିକ ଶାନ୍ତି ନଷ୍ଟ ହେବା ସହ ସାମାଜିକ ଜୀବନ ପ୍ରଭାବିତ ହେଉଥିବା ଅଭିଯୋଗ କରି ଶତାଧିକ ମହିଳା ଓ ପୁରୁଷ ଏକଜୁଟ ହୋଇ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଗ୍ରାମରେ ଥିବା ଦେଶୀ ମଦ ଭାଟିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଦାବିରେ ମହିଳାମାନେ ଆନ୍ଦୋଳନର ନେତୃତ୍ୱ ନେଇଥିବା ବେଳେ ପୁରୁଷମାନେ ମଧ୍ୟ ସେମାନଙ୍କ ସହ ସାମିଲ ହୋଇଥିଲେ। ମଦ ଯୋଗୁଁ ପରିବାରରେ ଅଶାନ୍ତି ବଢ଼ିବା ସହ ଅନେକ ସାମାଜିକ ସମସ୍ୟା ସୃଷ୍ଟି ହେଉଥିବା ଦର୍ଶାଇ ଆନ୍ଦୋଳନକାରୀମାନେ ଭାଟି ଉଚ୍ଛେଦ ପାଇଁ ଦାବି ଜଣାଇଛନ୍ତି l ଆନ୍ଦୋଳନ ସମୟରେ ଉତ୍ତ୍ୟକ୍ତ ଗ୍ରାମବାସୀ ମଦ ଭାଟିରେ ଭଙ୍ଗାରୁଜା କରିବା ସହ ସେଠାରେ ଥିବା ରନ୍ଧା ମଦ ଓ ପୋଚ ନଷ୍ଟ କରିଥିବା ଜଣାପଡ଼ିଛି। ଏହି ଘଟଣା ପରେ ଅଞ୍ଚଳରେ ମଦ ବିରୋଧୀ ଆନ୍ଦୋଳନକୁ ନେଇ ଚର୍ଚ୍ଚା ଜୋର ଧରିଛି l ପିତାମହୁଲରୁ ଦେଶୀ ମଦ ଭାଟିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ସହ ଏହାର ଲାଇସେନ୍ସ ବାତିଲ କରିବାକୁ ଆନ୍ଦୋଳନକାରୀମାନେ ଦୃଢ଼ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Powered by Joinchat