ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଏନ୍ଏସି ଅନ୍ତର୍ଗତ ଭଞ୍ଜ ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ବୀର ଧନଞ୍ଜୟପୁର ଶାସନରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। ପବିତ୍ର ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ ଦେବୀଙ୍କ ଉତ୍ଥାପନ ସହ ସହସ୍ର କୁମ୍ଭ ସ୍ନାନ ଅନୁଷ୍ଠିତ ହୋଇଥିଲା। ଏଥିସହ ମଧ୍ୟରାତ୍ରିରେ ଦେବୀଙ୍କ ଷୋଡ଼ଶ ଉପଚାର ପୂଜା, ବେଶ ଓ ଆଳତି କରାଯାଉଥିବା ଦେଖିବାକୁ ମିଳିଛି।ପୂଜା ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ ଠାକୁରାଣୀଙ୍କୁ ସୁସଜ୍ଜିତ ବିମାନରେ ବିରାଜମାନ କରାଇ ବିଭିନ୍ନ ବାଦ୍ୟବାଜଣା ସହ ଗ୍ରାମ ପରିକ୍ରମା କରାଯାଉଛି।
ଏହି ସମୟରେ ଭକ୍ତଙ୍କ ପକ୍ଷରୁ ଦ୍ୱାର ଭୋଗ, ଉପନ ଭୋଗ ଓ ହାଣ୍ଡି ଭୋଗ ଅର୍ପଣ କରାଯାଉଛି।ପୂଜାରେ ପୁରୋହିତ ଭାବେ ପ୍ରଶାନ୍ତ ମିଶ୍ର ଓ କର୍ତ୍ତା ଭାବେ ପ୍ରମୋଦ କୁମାର ଦାଶ ଦାୟିତ୍ୱ ତୁଲାଉଛନ୍ତି। ସଭାପତି ଲମ୍ବୋଦର ଦାଶଙ୍କ ତତ୍ତ୍ୱାବଧାନରେ ସମ୍ପାଦକ ସୁଶାନ୍ତ କୁମାର ଦାଶ, ଦିବ୍ୟ ଚରଣ ଦାଶ ଓ ବୈଷ୍ଣବ ଚରଣ ଦାଶଙ୍କ ସମେତ ଅନ୍ୟ ସଦସ୍ୟମାନେ ପୂଜା ପରିଚାଳନା କରୁଛନ୍ତି ।ଏହି ଶାରଦୀୟ ଦୁର୍ଗାପୂଜା ଆଶ୍ୱିନ ଶୁକ୍ଳ ଅଷ୍ଟମୀ ପର୍ଯ୍ୟନ୍ତ ଚାଲିବ ବୋଲି ପରିଚାଳନା ସମିତିର ସହସମ୍ପାଦକ ବୈଷ୍ଣବ ଚରଣ ଦାଶ ପ୍ରକାଶ କରିଛନ୍ତି।
