ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ଧର୍ମମାସ କାର୍ତ୍ତିକ ମାସର ଚତୁର୍ଥ ସୋମବାରରେ ଶ୍ରଦ୍ଧାଳୁଙ୍କ ସମାବେଶ ଯୋଗୁଁ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ଚଳଚଞ୍ଚଳ ହୋଇ ଉଠିଥିଲା।ବୁଗୁଡ଼ା ସମେତ ଆଖପାଖ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା।ସକାଳୁ ହିଁ ବୁଦ୍ଧଖୋଲ ଅଭିମୁଖେ ଭକ୍ତମାନଙ୍କର ସୁଅ ଛୁଟିଥିଲା। ଶ୍ରଦ୍ଧାଳୁମାନେ ପାହାଚ ତଥା ଘାଟି ରାସ୍ତାରେ ଯାଇ ବୁଦ୍ଧଖୋଲ ପାହାଡ଼ରେ ବିରାଜମାନ ପଞ୍ଚଶମ୍ଭୁ ଯଥା ଜଗଦେଶ୍ଵର ସ୍ଵାମୀ, ଗଙ୍ଗାଧର ସ୍ଵାମୀ, ମକରେଶ୍ଵର ସ୍ଵାମୀ, ବୁଦ୍ଧେଶ୍ଵର ସ୍ଵାମୀ ଏବଂ ସିଦ୍ଧେଶ୍ଵର ସ୍ଵାମୀଙ୍କ ଆଶିଷ ପ୍ରାପ୍ତାର୍ଥେ ଦର୍ଶନ କରିଥିଲେ। ଏଥିସହିତ ବୁଦ୍ଧଖୋଲ ପାଦଦେଶସ୍ଥ ଶିବ-ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ସ୍ଥାପନ ସ୍ଥଳ ଲୋକାରଣ୍ୟ ପାଲଟିଥିଲା।
ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଭକ୍ତମାନଙ୍କର ସୁବିଧାଜନକ ଠାକୁର ଦର୍ଶନ ସାଙ୍ଗକୁ ଯାନବାହାନ ରହଣିର ସୁବନ୍ଦୋବସ୍ତ କରାଯାଇଥିଲା।ବୁଦ୍ଧଖୋଲ ଉନ୍ନୟନ ସମିତିର ସଭାପତି ତଥା ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଶ୍ରୀ ଅନନ୍ତ ଫାଉଣ୍ଡେସନ ପକ୍ଷରୁ ବୁଦ୍ଧଖୋଲ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ନିମନ୍ତେ ମାଗଣା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ବିଶେଷକରି ଯାନବାହାନ ଚଳାଚଳ, ଟ୍ରାଫିକ ନିୟନ୍ତ୍ରଣ ସାଙ୍ଗକୁ ରହଣି ଦେୟ ସଂଗ୍ରହରେ ସ୍ୱେଚ୍ଛାସେବୀମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
