ବୁଗୁଡ଼ା/ଗଞ୍ଜାମ (ସୋରେନ କୁମାର ପ୍ରଧାନ): ସମ୍ଭାବ୍ୟ ବାତ୍ୟା ‘ଆକଭାନ୍’ର ମୁକାବିଲା ପାଇଁ ବୁଗୁଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବାତ୍ୟା ଓ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ବୁଧବାର ସୁଦ୍ଧା ବ୍ଲକର ୧୬ଟି ଆଶ୍ରୟସ୍ଥଳରେ ୨୧୯୮ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ସହ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉଛି।ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ବିଡିଓ ଦୁତିକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ କରାଯାଇ ବାତ୍ୟା ମୁକାବିଲା, ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ ବଣ୍ଟନ ନେଇ ଆଲୋଚନା ହୋଇଥିଲା। ବିଶେଷକରି ତଳିଆ, ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳ ସହ ମାଟିଘରେ ରହୁଥିବା ପରିବାରଙ୍କୁ ଚିହ୍ନଟ କରି ସୁରକ୍ଷିତ ସ୍ଥାନକୁ ନେବାକୁ ଗୁରୁତ୍ୱ ଦିଆଯାଇଥିଲା।
ଏହି ପ୍ରସ୍ତୁତି କାର୍ଯ୍ୟର ତଦାରଖ ପାଇଁ ବ୍ରହ୍ମପୁର ଶିଳ୍ପ ଅଧିକାରୀ ତଥା ବ୍ଲକ ନୋଡାଲ ଅଫିସର ବସନ୍ତ କୁମାର ସେଠୀ ବୁଗୁଡ଼ା ଗସ୍ତ କରି ବିଡିଓ, ଏବିଡିଓ ଧର୍ମରାଜ ପରିଡ଼ା, ତହସିଲଦାର ତାପସ ରାଉତ ଓ ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତାଙ୍କ ସହ ବିଭିନ୍ନ ଆଶ୍ରୟସ୍ଥଳ ପରିଦର୍ଶନ କରିଥିଲେ। ଆଶ୍ରୟସ୍ଥଳରେ ଲୋକଙ୍କ ସୁବିଧା, ରହଣି ବ୍ୟବସ୍ଥା ଓ ରନ୍ଧା ଖାଦ୍ୟର ମାନ ଯାଞ୍ଚ କରିବା ସହ ହିତାଧିକାରୀଙ୍କ ସମସ୍ୟା ବୁଝିଥିଲେ।ଅନ୍ୟପକ୍ଷରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରାଯାଇ ଲୋକଙ୍କୁ ଅଯଥାରେ ଘରୁ ନ ବାହାରିବା ଏବଂ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଇଛି। ବାତ୍ୟାର ପ୍ରଭାବ ଶେଷ ହେବା ପର୍ଯ୍ୟନ୍ତ ଲୋକଙ୍କ ସୁରକ୍ଷା ଓ ଆବଶ୍ୟକୀୟ ସୁବିଧା ଯୋଗାଣ ଉପରେ ପ୍ରଶାସନ ନଜର ରଖିଥିବା ଜଣାପଡ଼ିଛି।
