ରାଜ୍ୟରେ ଆସନ୍ତା ୧୩ ତାରିଖରେ ହେବାକୁ ଯାଉଛି ଲୋକସଭା ଓ ବିଧାନସଭା ନିର୍ବାଚନ। ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ରହିଛି ସଂଗୀନ ଅପରାଧିକ ମାମଲା। ୪୮ ଜଣଙ୍କ ନାଁରେ ରହିଛି ଜଘନ୍ୟ ଅପରାଧ। ଏହି ରିପୋର୍ଟ ଦେଇଛି ADR ଓ ଓଡ଼ିଶା ଇଲେକସନ ୱାଚ୍। ବ୍ରହ୍ମପୁରରୁ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ନାଁରେ ରହିଛି ସବୁଠୁ ଅଧିକ ୪୬ଟି କ୍ରିମିନାଲ କେସ୍।
ଯୋଗ୍ୟତା ଦୃଷ୍ଟିରୁ ୪ ଜଣ ଆଦୌ ପାଠ ପଢ଼ି ନାହାନ୍ତି ଏବଂ ସମୁଦାୟ ମାତ୍ର ୩୨ଜଣ ମହିଳା ପ୍ରାର୍ଥୀନୀ ଅଛନ୍ତି । ସବୁଠୁ ଧନୀ ପ୍ରାର୍ଥୀ ହେଲେ ଦିଗପହଣ୍ଡିର ବିଜେଡି ବିଧାୟକ ପ୍ରାର୍ଥୀ ବିପ୍ଲବ ପାତ୍ର ଯାହାଙ୍କ ମୋଟ ସଂପତ୍ତି ୩୩ କୋଟି ୩୬ ଲକ୍ଷରୁ ଅଧିକ। ତାଙ୍କ ଦ୍ୱାରା ନିର୍ବାଚନୀ ବିବରଣୀ ସତ୍ୟପାଠରୁ ଏହା ଜଣାପଡ଼ିଛି। ରାଜ୍ୟର ଏମିତି ଦୁଇ ଜଣ ପ୍ରାର୍ଥୀ ଅଛନ୍ତି ଯାହାଙ୍କ ନାମରେ ପାଖରେ କୌଣସି ସଂପତ୍ତି ନାହିଁ।
ଲକ୍ଷ୍ମୀପୁର ଆସନରୁ ବିଧାୟକ ପ୍ରାର୍ଥୀ ରିପବ୍ଲିକାନ ପାର୍ଟିର ରମେଶ ଜାନିଙ୍କ ପାଖରେ ଅଛି ମାତ୍ର ହଜାରେ ଟଙ୍କା। ସବୁ ପ୍ରାର୍ଥୀଙ୍କ ସତ୍ୟପାଠରୁ ତଥ୍ୟ ସଂଗ୍ରହ କରି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଏଡିଆର୍ ଏବଂ ଓଡ଼ିଶା ଇଲେକସନ ୱାଚ୍।