
କୁଆଁ କୁଆଁ ଡାକି ଯା’ କାନ୍ଥ ବାଡ଼ କମ୍ପାଇଲି
ପେଟେଇ ଆଣ୍ଠେଇ ଯା ‘ପରେ ଚାଲିବା ଶିଖିଲି,
ଯା’ ଚାଳ ବଞ୍ଚାଇଲା ଖରା ଓ ବର୍ଷାରୁ
ଯା’ କାନ୍ଥ ରୋକି ନେଲା କୋହରା ଶୀତରୁ,
ସେଇ ମୋ ଘର, ସାକ୍ଷୀ ମୋ ଅସ୍ତିତ୍ୱର I
ମୋ ଷଠିଘର ଯାର କାନ୍ଥରେ ଚିତ୍ରିତ
ରହିଲି ଯାହାପାଇଁ ମୁଁ ସୁରକ୍ଷିତ,
ଶ୍ରଦ୍ଧା-ମମତାରେ ଯିଏ ପୁରି ଉଠିଅଛି
ଯାହାପାଇଁ ମନକୁ ଶାନ୍ତି ତ ମିଳିଛି,
ସେଇ ମୋ ଘର, ଅଟେ ଅତୀବ ସୁନ୍ଦର I
ମୋର ମା’ ଧରିତ୍ରୀ, ମାଟି ଏ ଘରର
ଛାତଟି ଅଟଇ ମୋର ଆପଣା ଅମ୍ବର,
ଏ ଦ୍ୱାର, ଦ୍ୱାର ନୁହେଁ ଅଟେ ସ୍ୱର୍ଗଦ୍ୱାର
ଏ ଝରକା ମୁଖଦ୍ୱାର, ସୁଖ ସମୃଦ୍ଧିର,
ଏଇ ମୋ ଘର, ଯା’ର ନାହିଁ ପଟାନ୍ତର I
ପୂର୍ବଜଙ୍କ ରକ୍ତ ମିଶି ଏ ମାଟି ବନିଛି
ସେମାନଙ୍କ ବାହୁ ରୂପେ କାନ୍ଥ ଆଶ୍ୱାସିଛି,
ବାଡ଼ ବତା ନୁହେଁ ଏହା ଅଟେ ତାଙ୍କ ଅସ୍ଥି
କଙ୍କାଳରେ ଚାଳ ନେଇ ଏ ଘରର ସ୍ଥିତି,
ଏଇ ମୋ ଘର, ଏଠି ସ୍ନେହ ନିରନ୍ତର I
ଏ ଘର ଧୂଳିରୁ ମୋର ହୋଇଛି ଜନମ
ଏ ମାଟିରେ ମିଶିଯିବି ହୋଇଲେ ମରଣ,
ସ୍ୱର୍ଗଠୁ ସୁନ୍ଦର ଇଏ, ମୋ ପ୍ରାଣର ସାଥି
ବାହିବି ଜୀବନ ଏ ରଥେ, ହୋଇ ମୁଁ ସାରଥୀ,
ମୋ ଘର ଚିର ନମସ୍ୟା ଜନ୍ମ ଜନ୍ମାନ୍ତର I
ଜୟନ୍ତ କୁମାର ଦାସ
(ଲଙ୍ଗଳେଶ୍ୱର, ବାଲେଶ୍ୱର)