ଅନଲାଇନ ବେଟିଂ ଖେଳର କରୁଣ ପରିଣତି

ଝାରସୁଗୁଡା :ଏକ ହୃଦୟ ବିଦାରକ ଘଟଣା କ୍ରମରେ କାର ଭିତରୁ ବାପା,ମା’ ଝିଅଙ୍କ ମୃତଦେହ ଉଦ୍ଧାର I ମୃତକଙ୍କ ଘର ବ୍ରଜରାଜ ନଗର ଓରିଏଣ୍ଟ ଥାନା ଅଞ୍ଚଳରେ ହୋଇଥିବାବେଳେ ଗତକାଲି ଠାରୁ ଏମାନେ ନିଖୋଜ ଥିଲେ I ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ସୁଜିତଙ୍କ ଘରେ ୩ ବର୍ଷର ଝିଅ ଏବଂ ତାଙ୍କ ବାପା-ମା’ ଅଛନ୍ତି l ପଡୋଶୀ ଲୋକଙ୍କ କହିବା ଅନୁସାରେ ସୁଜିତ ବୁଧବାର ଅପରାହ୍ନ ପ୍ରାୟ ୩ଟା ୨୦ମିନିଟ୍ରେ ନିଜ କାରରେ ବଡ଼ ଝିଅ ଏବଂ ସ୍ତ୍ରୀ ସହ ଘରୁ ବାହାରିଥିଲେ l ହେଲେ ସେ ରାତି ୧୦ ଟା ଯାଏଁ ଘରକୁ ନଫେରିବାରୁ ପରିବାର ଲୋକେ ଏବଂ ପଡୋଶୀ ମିଶି ଓରିଏଣ୍ଟ ଥାନାରେ ଅଭିଯୋଗ କରିଥିଲେ l ପୋଲିସ ସୁଜିତଙ୍କ ମୋବାଇଲ ଟ୍ରାକ୍ କରି ଲଖନପୁର ଥାନା ଅଂଚଳ ବାଣୀପାହାଡ଼ ନିକଟରେ ଥିବା ଜାଣିବାକୁ ପାଇଥିଲା l ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ କରିବା ବେଳେ ସୁଜିତ ତାଙ୍କ ସ୍ତ୍ରୀ ଖୁସବୁ ଏବଂ ଝିଅ ଅର୍ପିତାର ମୃତଦେହ ଗାଡି ଭିତରେ ଥିଲା l କାରର ଇଞ୍ଜିନ ଅନ୍ ଥିବା ସହ ଏସି ଚାଲିଥିଲା l

ସୁବିଧାରେ ବହୁ ଅର୍ଥ ଉପାର୍ଜନ କରିବା ଲକ୍ଷ୍ୟରେ ସୁଜିତ ନିୟମିତ ଭାବେ ଅନଲାଇନ ଆପ୍ଲିକେସନ ମାଧ୍ୟମରେ ଜୁଆ ବା ବେଟିଂରେ ଭାଗ ନେଉଥିଲେ । ଏହାସହ ଅନେକ ବ୍ୟକ୍ତିଙ୍କ ନିକଟରୁ ହାତ ଉଧାର ଭାବେ ଲକ୍ଷାଧିକ ଟଙ୍କା ନେଇ ଋଣଗ୍ରସ୍ତ ଥିଲେ । ଋଣବୋଝ ସହି ନପାରି ଏଭଳି ଏକ ନାରକୀୟ କାଣ୍ଡ ଭିଆଇଲେ ସୁଜିତ । ଘଟଣାସ୍ଥଳକୁ ଜିଲ୍ଲା ଏସପି ଓ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଯାଇ ତଦନ୍ତ କରି ଫେରିବା ପରେ ସାଧାରଣରେ ଯେଭଳି ଭାବେ ବେଟିଂ ବୃଦ୍ଧି ପାଉଛି ତାକୁ ନେଇ ଚିନ୍ତାବ୍ୟକ୍ତ କରିବା ସହ ସାଧାରଣ ଲୋକେ ଏଥିରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛନ୍ତି । ତେବେ ପଡୋଶୀମାନେ କହିଛନ୍ତି, ସେମାନଙ୍କ କୌଣସି ପାରିବାରିକ କଳହ ନଥିଲା l ଭଲ ପରିବାର ଥିଲେ l ସୁଜିତ ମଧ୍ୟ ଘରୋଇ କମ୍ପାନୀରେ ଚାକିରି କରୁଥିଲେ l ତେବେ ଏମିତି ଅଭାବନୀୟ ଘଟଣା କିପରି ଘଟିଲା ତାହା ତଦନ୍ତ ସାପେକ୍ଷ ବୋଲି ପଡୋଶୀ କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!