ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରବିବାର ପହଞ୍ଚିଛନ୍ତି। ପ୍ରଥମେ ସେ ଦଳୀୟ କର୍ମୀଙ୍କ ସହ ସନ୍ଧ୍ୟାରେ ରାଜ୍ୟ ଭାଜପା କାର୍ଯ୍ୟାଳୟରେ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ସେ ଦଳୀୟ କର୍ମକର୍ତ୍ତାଙ୍କ ସହ ନିର୍ବାଚନକୁ ନେଇ ସମୀକ୍ଷା କରିବେ।
କାଲି ସକାଳ ୬ରୁ ୭ଟା ମଧ୍ୟରେ ପୁରୀ ଅଭିମୁଖେ ଯିବେ। ପୁରୀ ହେଲିପ୍ୟାଡ଼ରେ ୭ରୁ ସାଢ଼େ ୭ଟା ମଧ୍ୟରେ ପହଞ୍ଚିବେ। ତା’ପରେ ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିର ଯିବେ। ଶ୍ରୀମନ୍ଦିର ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିବେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ନେବା ପରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମରିଚିକୋଟ ଛକକୁ ଯିବେ। ସକାଳ ୮ରୁ ୯ଟା ଭିତରେ ରୋଡ୍ ଶୋ’ ହେବ। ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’ ମରିଚିକୋଟ ଛକରୁ ମେଡ଼ିକାଲ୍ ଛକ ପର୍ଯ୍ୟନ୍ତ ଯିବ। ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’ ବିଷୟରେ ବିସ୍ତୃତତଥ୍ୟ ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର ।
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ୬୩ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ଯେଉଁଥିରେ ୩ ଏସ୍ପି ରାଙ୍କର ଅଫିସର ମୁତୟନ ହୋଇଛନ୍ତି। ଏଥିସହ ୮ ଜଣ ଏଡିସିନାଲ୍ ଏସ୍ପି, ୨୨ ଜଣ ଡିଏସ୍ପି, ୪୨ ଜଣ ଇନ୍ସପେକ୍ଟର, ୧୦୯ ଜଣ ସବ୍ ଇନ୍ସପେକ୍ଟର, ୩୪ ଜଣ ହାବିଲ୍ଦାର, ୨୦୨ ଜଣ କନ୍ଷ୍ଟେବଲ, ୨୫୦ ହୋମ୍ଗାର୍ଡ ଆଦି ନିୟୋଜିତ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୁରୀରେ ପହଞ୍ଚିବାର ଘଣ୍ଟାଏ ପୂର୍ବରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଟ୍ରାଫିକ କଟକଣା ମଧ୍ୟ ଜାରି ହେବ। ରୋଡ ଶୋ’ ପାଇଁ ମରିଚିକୋଟ ଛକରୁ ମେଡିକାଲ ଛକ ଯାଏଁ ଓ ତାଳବଣିଆ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ କଟକଣା ଜାରି କରାଯିବ ବୋଲି ଏସପି ଜଣାଇଛନ୍ତି।