ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସୀ ୧୯ ମେ ସକାଳ ଅଜରବୈଜାନର ରାଷ୍ଟ୍ରପତି ଇଲହାମ ଅଲିୟେଭଙ୍କ ସହ ଏକ ଡ୍ୟାମ୍ର ଉଦଘାଟନ କରିବାକୁ ଅଜରବୈଜାନ ଯାଇଥିଲେ। ଡ୍ୟାମ୍ ଉଦଘାଟନ ସାରି ଫେରିବା ସମୟରେ ଇରାନର ରାଜଧାନୀ ତେହରାନ ଠାରୁ ପାଖାପାଖି ୬୦୦ କିମି ଦୂର ଉତ୍ତର-ପଶ୍ଚିମରେ ଜୋଲଫା ସହର ନିକଟରେ ତାଙ୍କ ବିମାନ ନିଖୋଜ ହୋଇଯାଇଥିଲା । ଖରାପ ପାଗ ଯୋଗୁଁ ଇରାନୀ ରେଡ୍ କ୍ରିସେଣ୍ଟ ସୋସାଇଟିର ଉଦ୍ଧାରକାରୀ ଟିମ୍ ଏହି ଅଞ୍ଚଳରେ ପହଞ୍ଚିବା ମୁସ୍କିଲ୍ ହୋଇଯାଇଥିଲା।
ପରେ ତୁର୍କୀର ଉଦ୍ଧାରକାରୀ ଟିମ୍ ରଇସୀଙ୍କ ହେଲିକପ୍ଟର ଦୁର୍ଘଟଣାସ୍ଥଳକୁ ଚିହ୍ନଟ କରିଥିଲା। ଦୀର୍ଘ ୧୭ ଘଣ୍ଟାର ଅପରେଶନ ପରେ ଡ୍ରୋନ୍ ଫୁଟେଜ୍ ଅନୁଯାୟୀ ଉଦ୍ଧାରକାରୀ ଦଳ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟିକୁ ଖୋଜି ବାହାର କରିଥିଲେ।ଦୁର୍ଘଟଣାସ୍ଥଳ ଦେଖିଲେ ରଇସୀଙ୍କ ଜୀବିତ ଥିବା ନେଇ ଆଶା କ୍ଷୀଣ ରହିଛି। ସୂଚନାନୁଯାୟୀ, ରାଷ୍ଟ୍ରପତି ରଇସୀଙ୍କ ସହ ବୈଦେଶିକ ମନ୍ତ୍ରୀ ହୋସୈନ ଅମୀରାଅବଦୁଲାହିୟନ, ପୂର୍ବ ଅଜରବୈଜାନ ପ୍ରାନ୍ତର ରାଜ୍ୟପାଳ ଏବଂ ଅଙ୍ଗରକ୍ଷକ ହେଲିପ୍ଟରରେ ସବାର ଥିଲେ। ଏବେ ସୁଦ୍ଧା କାହାର ଖୋଜ ଖବର ମିଳିନାହିଁ।
ରଇସିଙ୍କ ମୃତ୍ୟୁ ସହିତ, ରାଷ୍ଟ୍ରପତି ପଦ ପାଇଁ ପରବର୍ତ୍ତୀ ଧାଡ଼ିରେ ପ୍ରଥମ ଉପରାଷ୍ଟ୍ରପତି ମହମ୍ମଦ ମୋଖବର ରହିଛନ୍ତି। ତେବେ ଏହା ସମ୍ଭବ ହେବ ଯଦି ଇରାନର ସର୍ବୋଚ୍ଚ ନେତା ଅଯତୁଲ୍ଲା ଅଲି ଖାମେନେଙ୍କ ଦ୍ୱାରା ଅନୁମୋଦନ ହୁଏ।