ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ରେମାଲ’ ତୀବ୍ର ହୋଇ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପାରା ମଧ୍ୟରେ ୨୬ ତାରିଖ ମଧ୍ୟରାତ୍ରିରେ ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ମାଡ ହେବ ବୋଲି ଆଶା କରାଯାଉଛି।
ବଙ୍ଗୋପସାଗରରେ ଚଳିତ ମୌସୁମୀର ଏହା ପ୍ରଥମ ଘୂର୍ଣ୍ଣିଝଡ ହେବ । ଭାରତ ମହାସାଗରରେ ଅଞ୍ଚଳରେ ଘୂର୍ଣିଝଡ଼ର ନାମକରଣ ପଦ୍ଧତି ଅନୁସାରେ ଏହାର ନାମ ରେମାଳ ରଖାଯାଇଛି ।ଏହି ନାମ ଓମାନ ପ୍ରସ୍ତାବ ଦେଇଛି । ଗୁରୁବାର ସକାଳେ ଏହି ଘୂର୍ଣ୍ଣିଝଡ ୧୩.୭ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୬.୯ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରେକର୍ଡ କରାଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ସୁଦ୍ଧା ଏହି ଘୂର୍ଣ୍ଣିବଳୟ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ । ରବିବାର ପର୍ଯ୍ୟନ୍ତ ବଙ୍ଗୋପସାଗରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ଚେତାବନୀ ଦିଆଯାଇଛି । ଆଇଏମଡି ଅନୁଯାୟୀ ରବିବାର ଦିନ ଘଣ୍ଟା ପ୍ରତି ୧୦୨ କିଲୋମିଟର ପବନର ବେଗ ହେବ ବୋଲି ଆଶା କରାଯାଉଛି । ମେ ୨୬ ଏବଂ ୨୭ ରେ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ମିଜୋରାମ, ତ୍ରିପୁରା ଏବଂ ଦକ୍ଷିଣ ମଣିପୁରର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ପାଇଁ ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରାଯାଇଛି । ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀମାନଙ୍କୁ ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଛି ।
ବାତ୍ୟା ‘ରେମାଲ ପ୍ରଭାବ ପାଇଁ ପଶ୍ଚିମବଙ୍ଗ ରବିବାର ଦିନ ୧୨ ଟା ଠାରୁ ସୋମବାର ସକାଳ ୯ ଟା ପର୍ଯ୍ୟନ୍ତ ୨୧ ଘଣ୍ଟା ପାଇଁ କୋଲକାତା ବିମାନବନ୍ଦରେ ବିମାନ ଚଳାଚଳ ସ୍ଥଗିତ ରହିବ।ସମସ୍ତ ପକ୍ଷମାନଙ୍କ ସହ ଆଲୋଚନା ପରେ କୋଲକାତା ବିମାନବନ୍ଦରର କର୍ତ୍ତୃପକ୍ଷ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି।