ତାମିଲନାଡୁର ଜୟଲଳିତା -ଶଶୀକଳା ଏପିସୋଡ୍ ପୁନରାବୃତ୍ତି ହେଉନି ତ? ରାଜ୍ୟ ରାଜନୀତିରେ ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି । ଆଉ ଏପଟେ ଆଜି ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହାଁମୁହିଁ ହୋଇଛନ୍ତି । ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଗତ ବର୍ଷକ ମଧ୍ୟରେ ଅଧିକ ଖରାପ ହେଉଥିବା ନେଇ ପ୍ରଧାନମନ୍ତ୍ରୀ ମୋଦି ଉଦବେଗ ଜଣାଇବା ସହ ତା’ର ଯାଂଚ ସ୍ୱତନ୍ତ୍ର କମିଟି ଦ୍ୱାରା ରାଜ୍ୟରେ ବିଜେପି ସରକାର ଆସିଲେ କରାଯିବ ବୋଲି କହିଥିଲେ। ପରେ ନବୀନ ମଧ୍ୟ ଗଣମାଧ୍ୟମ ସାମ୍ନାକୁ ଆସି ତାଙ୍କ ଖରାପ ସ୍ୱାସ୍ଥ୍ୟକୁ ନେଇ ଗୁଜବ କରୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ ପାଇଁ କମିଟି ଗଠନ କରିବାକୁ ପାଲଟା ଜବାବ ଦେଇଛନ୍ତି ।
ତେବେ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ହାତକୁ ପାଣ୍ଡିଆନ ଯେଭଳି ଭିଡ଼ି ଧରୁଛନ୍ତି ତାହା ନବୀନଙ୍କ ଉପରେ ତାଙ୍କର ପୂର୍ଣ୍ଣ କର୍ତ୍ତୃତ୍ୱର ସ୍ପଷ୍ଟ ସନ୍ଦେଶ ଦେଉଛି । ସାର୍ବଜନୀନ ସ୍ଥାନରେ ମୁଖ୍ୟମନ୍ତ୍ରୀ ଓ ଦଳର ସୁପ୍ରିମୋଙ୍କ ହାତକୁ ଭିଡ଼ିବାକୁ କେହି ସହଜରେ ଗ୍ରହଣ କରିପାରିବେନି ।
ବାରିପଦା ନିର୍ବାଚନୀ ସଭାରୁ ପ୍ରଥମ ଥର ଏ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ଷକ ଭିତରେ ନବୀନବାବୁଙ୍କ ସ୍ୱାସ୍ଥ୍ୟ ଏତେ ଖରାପ ହେଲା କେମିତି ? ଏମିତିକି ଲୋକଙ୍କ ସନ୍ଦେହ ମୁତାବକ ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ଅଛି କି ? ନବୀନଙ୍କ ନାଁରେ କ୍ଷମତା ଉପଭୋଗ କରୁଥିବା ଲୋକର ହାତ ଅଛି କି ? ଏସବୁ ଉପରୁ ପରଦା ହଟାବାକୁ ବିଜେପି ସରକାର ଆସିଲେ ସ୍ପେଶାଲ୍ କମିଟି ଗଠନ କରାଯାଇ ଅଚାନକ ସ୍ୱାସ୍ଥ୍ୟ ଖରାପ ପଛର କାରଣର ଯାଞ୍ଚ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସମେତ ବିଜେପିର ଶୀର୍ଷ ନେତାମାନେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କବଜା କରି ରଖାଯାଇଛି ବୋଲି ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ମାତ୍ର ସେ ନେଇ ମୁହଁ ଖୋଲୁନଥିବା ନବୀନ କିନ୍ତୁ ଗତକାଲି ଏକ ଭିଡିଓ ଜାରି କରି ତାଙ୍କ ହାତକୁ ନେଇ ଶସ୍ତା ରାଜନୀତି ନକରିବାକୁ ବିଜେପିକୁ ପରାମର୍ଶ ଦେଇଥିଲେ । ନିର୍ବାଚନୀ ସଭାରେ ନବୀନଙ୍କ ହାତକୁ ବିଜେଡି ସର୍ବେସର୍ବା ଭିକେ ପାଣ୍ଡିଆନ ଭିଡି ନେଉଥିବା ଦେଖିବାକୁ ମିଳିଥିଲା । ଆଉ ତାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଥିଲା । ଏହାପରେ ବିଜେଡି ପକ୍ଷରୁ ନବୀନଙ୍କ ଏକ ଭିଡିଓ ଜାରି ହୋଇଥିଲା ଯେଉଁଥିରେ ନବୀନ ତାଙ୍କର ହାତକୁ ନେଇ ଶସ୍ତା ରାଜନୀତି କରାନଯାଉ ବୋଲି କହିଥିଲେ । ତେବେ ଉକ୍ତ ଭିଡିଓ ‘ଏଆଇ’ ପ୍ରସ୍ତୁତ ବୋଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦୋହରାଇଥିଲେ।
ତିନି ତିନିଟି ନିର୍ବାଚନୀ ସଭା ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଖୋଦ୍ ପିଏମ୍ ମୋଦିଙ୍କ ଉଦବେଗ ପ୍ରସଙ୍ଗକୁ ନୂଆ ମୋଡ଼ ଦେଇଛି । ହେଲେ ପ୍ରଧାନମନ୍ତ୍ରୀଙ୍କ ଏ ମନ୍ତବ୍ୟର ବି ତତ୍କାଳ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ମୋ ସ୍ୱାସ୍ଥ୍ୟାବସ୍ଥା ପୂରା ଠିକ୍ ଅଛି । ମୋ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ଥିଲେ ପ୍ରଧାନମନ୍ତ୍ରୀ ଫୋନ୍ କରି ପାରିଥାନ୍ତେ । ସ୍ୱାସ୍ଥ୍ୟ ଖରାପ ଥିଲେ ପ୍ରଚାରକୁ ଯାଇ ନଥାନ୍ତି ବୋଲି କହିଛନ୍ତି ନବୀନ ।ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ପାଣ୍ଡିଆନଙ୍କୁ ବିଜେପିର ଅଲଆଉଟ୍ ଆଟାକ୍, ପ୍ରଥମ ଥର ପାଇଁ ପ୍ରସଙ୍ଗରେ ଖୋଦ୍ ପ୍ରଧାନନମନ୍ତ୍ରୀଙ୍କ ଟିପ୍ପଣୀ, ଷଡ଼ଯନ୍ତ୍ର ଆଡ଼କୁ ଇସାରା ଓ ତତ୍କାଳ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବର ରାଜନୀତିକୁ ସରଗରମ କରିଛି ।