ପୁରୀ:ଶ୍ରୀ ଜଗନ୍ନାଥଙ୍କ ପ୍ରତି ସମର୍ପଣର ଅନନ୍ୟ ଉଦାହରଣ ପୁଣିଥରେ ଦେଖାଇଛନ୍ତି କେହି ଜଣେ ଭକ୍ତ। ପୁରୀ ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଛି ୧ କେଜି ୮୦୦ ମିଲିଗ୍ରାମ ଓଜନର ସୁନା। କେହି ଭକ୍ତ ଶ୍ରୀମନ୍ଦିର ନାଟମଣ୍ଡପ ହୁଣ୍ଡିରେ ଏହି ସୁନା ପକାଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୭୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ।
ପ୍ରତିଦିନ ଭଳି ଗତ ଅପରାହ୍ନରେ ଶ୍ରୀମନ୍ଦିର ନାଟମଣ୍ଡପ ହୁଣ୍ଡି ଗଣତି ପରେ ଏଥିରୁ ୧କେଜି ୮୦୦ ମିଲିଗ୍ରାମ ସୁନା ମିଳିଥିଲା। ସେହିଭଳି ୬ଲକ୍ଷ ୨୮ହଜାର ୨୩୭ ଟଙ୍କା ଓ ୧ ଗ୍ରାମ ୨ଶହ ମିଲିଗ୍ରାମ ରୁପା ହୁଣ୍ଡିରୁ ମିଳିଥିଲା। ଏତେ ପରିମାଣର ସୁନା ମିଳିବା ଚର୍ଚ୍ଚାର ବିଷୟ ପାଲଟିଛି।
ଏହା ପୂର୍ବରୁ ୨୦୨୩ ନଭେମ୍ବର ୧୮ ତାରିଖରେ ଶ୍ରୀଜଗନ୍ନାଥଙ୍କ ହୁଣ୍ଡିରୁ ୨୨ ଲକ୍ଷ ୩୪ହଜାର ୫୨୮ ଟଙ୍କା ମିଳିଥିଲା। ଯାହା ଦ୍ବିତୀୟ ସର୍ବାଧିକ ରେକର୍ଡ ବୋଲି ଶୁଣିବାକୁ ମିଳିଥିଲା। ଗଣତି ବେଳେ ବହୁ ୫ଶହ ଟଙ୍କିଆ ବଣ୍ଡଲ୍ ମିଳିଥିଲା। ଏଥିସହ ୫.୬୦୦ ଗ୍ରାମ ସୁନା ଓ ୨୩୬.୭୦୦ ଗ୍ରାମ ରୁପା ମିଳିଥିଲା। ସେହିଭଳି ୨୦୨୧ ନଭେମ୍ବର ୧୨ ତାରିଖ ପବିତ୍ର ଅଁଳା ନବମୀରେ ଶ୍ରୀମନ୍ଦିର ନାଟମଣ୍ଡପ ଦାନହୁଣ୍ଡିରୁ ରେକର୍ଡ଼ ପରିମାଣ ଟଙ୍କା ମିଳିଥିଲା। ଦିନକରେ ୨୮ ଲକ୍ଷ ୧୦ହଜାର ୬୯୧ ଟଙ୍କା ସହ ୫୫୦ ମିଲିଗ୍ରାମ ସୁନା ଓ ୬୧.୭୦୦ ଗ୍ରାମ ରୁପା ଦାନ ମିଳିଥିଲା।