ପୂର୍ବ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ାଙ୍କ ନାତି ପ୍ରଜ୍ବଳ ରେବନ୍ନାଙ୍କୁ ଗିରଫ କଲା ଏସଆଇଟି

କର୍ଣ୍ଣାଟକ:ଯୌନ ନିର୍ଯାତନା ଅଭିଯୋଗରେ ତଦନ୍ତରେ ସହଯୋଗ ପାଇଁ ଭାରତ ଫେରିଛନ୍ତି ଜେଡିଏସ୍ ସାଂସଦ ପ୍ରଜ୍ଜ୍ୱଳ ରେଭନ୍ନା। ଜର୍ମାନୀର ମୁଞ୍ଚି ବିମାନବନ୍ଦରରୁ ସେ ବେଙ୍ଗାଲୁରୁ ଆସୁଥିବା ଜଣାପଡ଼ିଛି। ଯୌନ କେଳେଙ୍କାରିର ଭିଡିଓ ଭାଇରାଲ୍ ହେବା ପରେ ପ୍ରଜ୍ଜ୍ୱଳ ଜର୍ମାନୀ ଫେରାର୍ ହୋଇଯାଇଥିଲେ। ସେବେଠାରୁ ତାଙ୍କୁ ଭାରତ ଫେରାଇ ଆଣିବା ପାଇଁ କର୍ଣ୍ଣାଟକ ସରକାର ବହୁ ଉଦ୍ୟମ କରିଥିଲେ।

ଦୀର୍ଘ ୩୫ ଦିନ ପ‌ରେ ସେ ବେଙ୍ଗାଲୁରୁରେ ପହଞ୍ଚିବା ପରେ ଏସଆଇଟି ତାଙ୍କୁ ଗିରଫ କରିଥିବା ଜଣାଯାଇଛି। ପ୍ରଜ୍ବଳ ରେବନ୍ନା ୩୧ ତାରିଖ ୧୨ଟା ୪୬ ମିନିଟ ସମୟରେ ବିମାନରୁ ଅବତରଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା।ଆଜି ତାଙ୍କୁ ଅଦାଲତରେ ହାଜର କରାଯିବ।

ସେ ଜର୍ମାନୀରେ ଆତ୍ମଗୋପନ କରିଥିଲେ। ତାଙ୍କୁ ଫେରାଇ ଆଣିବାକୁ ଇଣ୍ଟରପୋଲ୍‌ର ବ୍ଲୁ କର୍ନର ନୋଟିସ୍‌ ଜାରି କରାଯାଇଥିଲା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନୋଟିସ୍‌ ଜାରି କରିବା ସହ ସ୍ବତନ୍ତ୍ର କୂଟନୈତିକ ପାସ୍‌ପୋର୍ଟ ଖାରଜ କରିବାକୁ ମଧ୍ୟ ଚେତାବନୀ ଦେଇଥିଲା। ଏହାପରେ ସେ ଭାରତ ଫେରି ତଦନ୍ତରେ ସହଯୋଗ କରିବେ ବୋଲି କହିଥିଲେ।

ସୂଚନା ଥାଉକି ପ୍ରଜ୍ଜ୍ୱଳ ରେଭନ୍ନା ୨୦୨୪ ଲୋକସଭା ନିର୍ବାଚନରେ ବିଜେପି-ଜେଡିଏସ୍ର ମିଳିତ ପ୍ରାର୍ଥୀ ହୋଇ ହସଲ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୬ ତାରିଖରେ ନିର୍ବାଚନ ସରିବା ପରେ ଭିଡିଓ ଭାଇରାଲ ହେବାରୁ ସେ ଦେଶ ଛାଡ଼ି ପଳାଇଥିଲେ। ଏହି ମାମଲାରେ ପ୍ରଜ୍ଜ୍ୱଳଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି।

ଏହା ପୂର୍ବରୁ ଚଳିତ ସପ୍ତାହ ଆରମ୍ଭରେ ପ୍ରଜ୍ଜ୍ୱଳ ଏକ ଭିଡିଓ ଜାରି କରି ମେ ୩୧ ତାରିଖରେ ବେଙ୍ଗାଲୁରୁରେ ପହଞ୍ଚିବେ ଓ ତଦନ୍ତରେ ସହଯୋଗ କରିବେ ବୋଲି କହିଥିଲେ। ଏବଂ ତାଙ୍କ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ସେ ଭିଡିଓରେ କହିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!