ନବୀନ ନିବାସରେ ଭି.କେ ପାଣ୍ଡିଆନଙ୍କର ଆଉ ଦେଖା ମିଳୁନି। ନିର୍ବାଚନୀ ଫଳାଫଳ ବାହାରିବା ପରଠୁ ପାଣ୍ଡିଆନ ଅଦୃଶ୍ୟ ହୋଇଯାଇଛନ୍ତି। ବିଜେଡିର ଶୋଚନୀୟ ପରାଜୟ ପରେ ପାଣ୍ଡିଆନଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳୁନି। କିମ୍ବା ନିର୍ବାଚନ ଫଳାଫଳକୁ ନେଇ କୌଣସି ପ୍ରତିକ୍ରିୟା ମଧ୍ୟ ତାଙ୍କ ତରଫରୁ ଜାରି ହୋଇ ନାହିଁ।
ଦଳର ଏଭଳି ବିପର୍ଯ୍ୟୟ ପରେ ବିଜେଡି ନେତାମାନେ ଆଜି ସକାଳେ ନବୀନ ନିବାସ ଯାଇଥିବା ଜଣାଯାଇଛି। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଦେବୀ ମିଶ୍ର, ଅରୁଣ ସାହୁ ପ୍ରମୁଖ ନବୀନ ନିବାସ ଯାଇଥିଲେ। ସେଠାରେ ନବୀନଙ୍କ ସହ କ’ଣ ଆଲୋଚନା କଲେ ତାହା ଜଣାପଡ଼ିନାହିଁ। କିନ୍ତୁ କ୍ୟାମେରା ଆଗରେ ପାଣ୍ଡିଆନଙ୍କୁ ଦେଖିବାକୁ ମିଳି ନ ଥିଲା।
ଅନ୍ୟପକ୍ଷରେ ବିଜେଡିର ପରାଜୟ ପରେ ବିଜେଡିର କିଛି ନେତା ପାଣ୍ଡିଆନଙ୍କ ଉପରେ ବର୍ଷିବା ଆରମ୍ଭ କରିଦେଲେଣି। ପାଣ୍ଡିଆନ କିଏ ଆମେ ଜାଣିନୁ, ନବୀନ ପଟ୍ଟନାୟକଙ୍କୁ ଆମର ନେତା ବୋଲି କହିଛନ୍ତି। ଏତେସବୁ ପରେ ବି ପାଣ୍ଡିଆନଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ। ଆଇଏଏସ ଚାକିରି ଛାଡ଼ି କିଛି ମାସ ପୂର୍ବରୁ ପାଣ୍ଡିଆନ ରାଜନୀତିରେ ଯୋଗ ଦେଇଥିଲେ।
ବିଜେଡି ନେତା ମାନସ ବସ୍ତିଆ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ସୁନା ଭଳି ଚକ୍ ଚକ୍ ମାରୁଥିବା ଚେହେରାରେ କଳଙ୍କର ଦାଗ ବୋଳି ଦେଇଛନ୍ତି ଭି.କେ ପାଣ୍ଡିଆନ୍। ସିଏ ନିଜର ବଡିମା ବଢ଼ାଇବା ପାଇଁ ପୋଷ୍ଟରରେ ନିଜର ଫଟୋ ଛପାଇ ଦେଲେ। ନିଜେ ଷ୍ଟାର ପ୍ରଚାରକ ହୋଇଗଲେ। ନିଜେ ସାରା ଓଡ଼ିଶାରେ ବୁଲିଲେ। ମଞ୍ଚରେ କାହାକୁ ଛିଡ଼ା କରିବାକୁ ଦେଲେନାହିଁ। ବିଜେଡିର ନେତାମାନେ ବିଧାୟକ ଓ ସାଂସଦ ପଦ ପାଇଁ ମୁହଁ ଖୋଲି ପାରିଲେ ନାହିଁ। ଆଉ ଯିଏ ସତ କଥା କହୁଥିଲେ, ତାଙ୍କୁ ବାହାର କରିଦେଉଥିଲେ ବୋଲି ଶ୍ରୀ ବସ୍ତିଆ କହିଛନ୍ତି।