ରଜ ଉପଲକ୍ଷେ ଉତ୍ସବ ମୁଖର ଗାଁ ଠୁ ସହର ପର୍ଯ୍ୟନ୍ତ

ପୁରୀ: ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ । ଆଜି ପହିଲି ରଜ। ଗାଁଠୁ ସହର ଏନେଇ ଚାରିଆଡ଼େ ଉତ୍ସାହ। ସଜେଇ ହେଉଛନ୍ତି ଯୁବତୀ। ପୁରୀ ବିଭିନ୍ନ ଅଞ୍ଚଳରେ ସ୍ୱତନ୍ତ୍ର ଆୟୋଜନ। ପିଠାପଣା, ରଜପାନ ଆଉ ତା ସାଙ୍ଗକୁ ଦୋଳି ଖେଳର ମଜା । ନୂଆ ପୋଷାକ, ହାତରେ ମେହେନ୍ଦୀ ଓ ପାଦରେ ଅଳତା ଲଗାଇ ସଜ ହେଉଛନ୍ତି ଓଡ଼ିଆଣୀ। ସେପଟେ ଘରେ ପୋଡପିଠା, ମଣ୍ଡା, ଏଣ୍ଡୁରୀ, ଚକୁଳି, ଆରିସା ଇତ୍ୟାଦି ପିଠା ସାଙ୍ଗକୁ ମିଠାର ବାସନାରେ ଗାଁ ଦାଣ୍ଡ ମହକି ଉଠୁଛି । ଏସବୁ ପରେ ରଜପାନ ପର୍ବକୁ ସମ୍ପୂର୍ଣ୍ଣ ନିଆରା କରି ଦେଇଛି ।

ଏହି ରଜ ପର୍ବ ୩ ଦିନ ଧରି ପାଳିତ ହେଉଥିବାବେଳେ ଛୋଟ ଛୁଆଠୁ ବୁଢା ବୁଢି ଯାଏ ସମସ୍ତେ ଖୁସିର ସହ ଏହି ପର୍ବ ପାଳନ କରିଥାନ୍ତି ।କେବଳ ଓଡିଶା ନୁହେଁ ଓଡିଶା ବାହାରେ ମଧ୍ୟ ରଜ ପବ ବେସ ଧୁମ୍ ଧାମରେ ପାଳିତ ହେଉଛି । ରାଜ୍ୟ ବାହାରେ ତଥା ଦେଶ ବାହରେ ଥିୁବା ପ୍ରବାସୀ ଓଡିଆ ମାନେ ସେଠାରେ ମଧ୍ୟ ରଜ ପର୍ବ ପାଳନ କରିଛନ୍ତି । ଆଜି ପହିଲି ରଜ, ପୁଣି ଥରେ ଗାଁ ଆମ୍ବ ତୋଟାରେ ଝୁଲୁଛି ଦୋଳି । ରଜ ଗୀତ ଶୁଭୁଛି, ଘରେ ଘରେ ପିଠାପଣାରେ ଆସର ଜମିଛି ।

ପୃଥିବୀମାତାଙ୍କ ଉପାସନା ସହିତ ନାରୀଜାତିକୁ ସମ୍ମାନ ପାଇଁ ପାଳନ ହୁଏ ରଜ ପର୍ବ ।ମାଟି ଓ ମେଘର ମିଳନର ପର୍ବ ରଜ । ପ୍ରଥମ ବର୍ଷାର ପହିଲି ପରସ ମାଟି ଛୁଇଁଲେ, ଆର୍ଦ୍ର ହୋଇ ଉଠେ ପୃଥିବୀ । ସତେ ଯେମିତି ବହୁ ଦିନରୁ ପ୍ରତିକ୍ଷୀତ ଏଇ ମାଟି, ବର୍ଷାର ସ୍ପର୍ଶରେ ହୋଇ ଉଠେ ପରିପୂର୍ଣ୍ଣା । ଭୁରୁଭୁରୁ ଗନ୍ଧରେ ମହକି ଉଠେ ଧରାପୃଷ୍ଠ ।ଋତୁମତୀ ଧରାର ସଂକେତ ବହନ କରି ଶୃଙ୍ଗାରରେ ସଜେଇ ହୁଏ ଧରିତ୍ରୀରାଣୀ । ଶରୀର ପାଇଁ ବିଶ୍ରାମ ଆଉ ମନ ପାଇଁ ଆନନ୍ଦ ଓ ଉଲ୍ଲାସର ପର୍ବ ରଜରେ ଭୁଇଁରେ ଖାଲି ପାଦରେ ଚାଲିବା ମନା ।

ଜୋତିଶ ଶାସ୍ତ୍ର ଆନୁସାରେ, ସୂର୍ଯ୍ୟ ବୃଷ ରାଶିରୁ ମିଥୁନ ରାଶିକୁ ପ୍ରବେଶ କରନ୍ତି ତା ପର ଦିନକୁ ମିଶାଇ ମୋଟ ତିନିଦିନ ରଜପର୍ବ ପାଳନ କରାଯାଏ । ମୃଗଶିରା ନକ୍ଷତ୍ରରେ ସୂର୍ଯ୍ୟ ରହିବାର ତିନିଦିନକୁ ରଜ କୁହାଯାଉଥିବା ।ରଜର ଶେଷ ଦିନରେ ଠାକୁରାଣୀ ଗାଧୁଆରେ କାଠ ପିଢା ଉପରେ ଶିଳପୁଆ ଲଙ୍ଗଳ ଲୁହା ଓ ବିଭିନ୍ନ ଉପକରଣ ରଖି ତା ଉପରେ ହଳଦୀ ପାଣି ଢାଳି ବାସୁମତି ସ୍ନାନ କରାଯାଏ । ଏହା ପରେ ହିଁ ପବିତ୍ର ଓ ଉତ୍ପାଦନ କ୍ଷମ ହୁଏ ମାଟି । ଅତଏବ ପ୍ରକୃତି ସୃଷ୍ଟି କରିଛି ବର୍ଷା ଆଉ ବର୍ଷାକୁ ସ୍ଵାଗତ କରି ସୃଷ୍ଟି ହୋଇଛି ରଜ ପର୍ବ ।

ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!