ଇଭିଏମ ପୁନଃ ଯାଞ୍ଚ ପାଇଁ ଆବେଦନ କଲେ ଝାରସୁଗୁଡା ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଭୁବନେଶ୍ୱର :ସରକାର ବଦଳିବା ସହିତ କ୍ଷମତା ହସ୍ତାନ୍ତର ହୋଇସାରିଛି କିନ୍ତୁ ସରିନି ବିବାଦ। ଏବେ ମଧ୍ୟ ନିର୍ବାଚନକୁ ନେଇ ବିବାଦ ଚାଲିଛି। ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧୩୩୩ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଛନ୍ତି। ଇତିମଧ୍ୟରେ ଦୀପାଳି କହିଛନ୍ତି ଯେ, ତାଙ୍କର ନିଜ ଗାଁ ସରବାହଲରେ ସେ ପଛରେ ଅଛନ୍ତି। ଏହି ବୁଥରେ ବିଜେପି ପ୍ରାର୍ଥୀ ୩୬୭ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ଏହା କେବେ ସମ୍ଭବ ହେବ ନାହିଁ ବୋଲି ଦୀପାଳି କହିଛନ୍ତି।

ଭୋଟ୍‌ ଗଣତିରେ ବା ନିର୍ବାଚନରେ ଇଭିଏମ୍‌ ତ୍ରୁଟି ରହିଥିବା ଆଶଙ୍କା କରି ଦୀପାଳି ଇଭିଏମ୍‌ର ପୁନଃ ଯାଞ୍ଚ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି।ଏଥିପାଇଁ ସେ ଆବଶ୍ୟକ ଫି’ ମଧ୍ୟ ଜମା କରିଥିବା ବେଳେ ଆବେଦନପତ୍ରକୁ ଜିଲ୍ଲା ପ୍ରଶାସନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଇଛି। ସେଠାରୁ ପୁଣି ଆବେଦନ ପତ୍ର ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟକୁ ଯାଇ ମଞ୍ଜୁର ହେବା ପରେ ଇଭିଏମ୍‌ର ପୁନଃ ଯାଞ୍ଚ ପାଇଁ ଅନୁମତି ଆସିବ ବୋଲି ସୂଚନା ମିଳିଛି।

ଇଭିଏମ ଯାଞ୍ଚର ଆବେଦନର ଶେଷ ତାରିଖ ଗତ ୧୦ ରହିଥିଲା। ଏହି ନିୟମ ଆଧାରରେ ଦୀପାଳି ୫ ପ୍ରତିଶତ ବା ୧୩ ସେଟ୍‌ ଇଭିଏମ୍‌ ଓ ଭିଭିପିଏଟି ଯାଞ୍ଚ ପାଇଁ ଆବେଦନ କରିଛନ୍ତି। ପ୍ରତିଟି ସେଟ୍‌ର ଯାଞ୍ଚ ପାଇଁ ଧାର୍ଯ୍ୟ ହୋଇଥିବା ୪୭ ହଜାର ଟଙ୍କା ହିସାବରେ ସେ ୬ ଲକ୍ଷ ୧୧ ହଜାର ଟଙ୍କା ମଧ୍ୟ ଜମା ଦେଇଛନ୍ତି।ନିର୍ବାଚନ କମିଶନରୁ ଅନୁମତି ଆସିବା ପରେ ଇଞ୍ଜିନିଅର ଆସି ପୁନଃ ଇଭିଏମ ଯାଞ୍ଚ କରିବେ।ଖୁବ ଶିଘ୍ର ଏହି ବିଧାନସଭା କ୍ଷେତ୍ରରେ ପୁନଃ ଗଣତି ହେବାର ସମ୍ଭାବନା ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!