ବାଲେଶ୍ୱର :ବାଲେଶ୍ବର ସହର ସୁନହଟ ଅଞ୍ଚଳରେ ଦୁଇଗୋଷ୍ଠୀ ମଧ୍ୟରେ ବ୍ୟାପକ ଗଣ୍ଡଗୋଳ ହୋଇଛି। ଢେଲାପଥର, ଲାଠି ଓ କାଚ ବୋତଲ ମାଡ଼ରେ ୫ ପୁଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଲହୁଲୁହାଣ ହୋଇଛନ୍ତି। ଘଟଣାସ୍ଥଳରେ ଅନେକ ଗାଡ଼ି ସହ ଲୋକଙ୍କ ଘର ଆସବାବପତ୍ର ନଷ୍ଟ ହୋଇଛି। ବିଳମ୍ବିତ ରାତିରେ ସହରର ଗୋଳାପୋଖରୀ, ମୋତିଗଞ୍ଜ, ସିନେମା ଛକ ଅଞ୍ଚଳକୁ ସଂଘର୍ଷ ବ୍ୟାପିଛି।
ସୂଚନା ମୁତାବକ, ସୋମବାର ଦ୍ବିପ୍ରହର ସମୟରେ ସୁନହଟ ମୁଖ୍ୟ ରାସ୍ତା ପାର୍ଶ୍ବ ଡ୍ରେନ୍ରେ ପୁଳାପୁଳା ରକ୍ତ ବୋହି ଯାଉଥିବା ଦେଖି ସ୍ଥାନୀୟ ଅଞ୍ଚଳର କିଛି ପରିବାର ଅସନ୍ତୋଷ ପ୍ରକାଶ କରିଥିଲେ। ମନରେ ସନ୍ଦେହ ହେବାରୁ ସେମାନେ ନାଳକୁ ଯାଇ ଯେଉଁଠାରୁ ରକ୍ତ ଛଡ଼ାଯାଉଥିଲା, ସେ ସ୍ଥାନକୁ ଖୋଜିବା ସହ ହୋହାଲ୍ଲା କରିଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଏ ସଂପର୍କରେ ଅଭିଯୋଗକାରୀଙ୍କଠାରୁ ଖବର ପାଇ ପୁଲିସ ଓ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିଥିଲେ।ଏହି ସମୟରେ ଅପରପକ୍ଷର ଶହଶହ ଲୋକ ଏକାଠି ହୋଇ ଅଭିଯୋଗକାରୀଙ୍କ ଉପରକୁ ଆକ୍ରମଣ କରିବା ସହ ପଥର ଓ କାଚ ବୋତଲ ଫିଙ୍ଗିଥିଲେ। ରାସ୍ତା ଉପରେ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ, ପ୍ରତିଆକ୍ରମଣ ଯୋଗୁଁ ଘଟଣାସ୍ଥଳରେ ଆତଙ୍କ ଖେଳି ଯାଇଥିଲା।
ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଯାଇଥିବା ଅତିରିକ୍ତ ଏସ୍ପି ଅନୀଲ ପ୍ରଧାନ, ଏସ୍ଡିପିଓ ଡାକ୍ତର ଶଶାଙ୍କ ଶେଖର ବେଉରା, ଡିଏସ୍ପି ବ୍ରଜମୋହନ ପ୍ରଧାନଙ୍କ ସହିତ ଟାଉନ ଥାନାର ଦୁଇ ଅଧିକାରୀ ଓ ତିନି ଜଣ କନେଷ୍ଟବଳ ଗୁରୁତର ଆହତ ହୋଇଥିଲେ। ପଥର ଓ କାଚବୋତଲ ମାଡ଼ରେ ସ୍ଥାନୀୟ ଅଞ୍ଚଳର ୧୦ରୁ ଅଧିକ ରାସ୍ତାରେ ଯାଉଥିବା ସାଧାରଣ ଜନତା କ୍ଷତାକ୍ତ ହୋଇଛନ୍ତି।
ପରେ ଆରକ୍ଷୀ ଅଧୀକ୍ଷିକା ସାଗରିକା ନାଥଙ୍କ ନେତୃତ୍ବରେ ସଶସ୍ତ୍ର ପୁଲିସ ବଳ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ପୂରା ଅଞ୍ଚଳରେ ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ୧୪୪ ଧାରା ଲାଗୁ କରାଯାଇଥିଲା। ତା’ପରେ ପରିସ୍ଥିତି ନିୟନ୍ତ୍ରଣକୁ ନଆସିବାରୁ କର୍ଫ୍ୟୁ ଜାରି ହୋଇଥିଲା। ଶାନ୍ତି ଫେରିବା ଯାଏ ଏହି ନିର୍ଦ୍ଦେଶ ବଳବତ୍ତର ରହିବ।
ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ସଦର ବିଧାୟକ ମାନସ କୁମାର ଦତ୍ତ ଟାଉନ ଥାନାରେ ପହଞ୍ଚିଛନ୍ତି। ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ମଙ୍ଗଳବାର ବାଲେଶ୍ବର ସହରର ସମସ୍ତ ଦୋକାନବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ସମସ୍ତ ଜନସାଧାରଣଙ୍କୁ ନିଜ ଘର ଭିତରେ ରହିବାକୁ ଅନୁରୋଧ କରାଯାଇଛି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପିଙ୍କ ପକ୍ଷରୁ କୁହାଯାଇଛି।