ହାଇଦ୍ରାବାଦ :ସନ୍ତାନ ଯେତେବେଳେ ବାପା ମା ଙ୍କୁ ଅତିକ୍ରମ କରି ଉନ୍ନତିକରିଥାନ୍ତି ସବୁ ବାପା,ମା ଖୁସି ହୁଅନ୍ତି। ଘଟଣାଟି ଘଟିଛି ହାଇଦ୍ରାବାଦରେ। ରବିବାର ପିତୃ ଦିବସ ଅବସରରେ ଏଭଳି ଏକ ଫଟୋ ଆଧାରିତ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଯାହାକୁ ଦେଖି ସମସ୍ତେ ରୋମାଞ୍ଚିତ ହେଉଛନ୍ତି ।
ଜଣେ ଆଇପିଏସ୍ ଅଧିକାରୀ ନିଜର ଆଇଏଏସ୍ ଅଧିକାରୀ ଝିଅକୁ ସାଲ୍ୟୁଟ୍ ମାରୁଥିବାର ଫଟୋ ପ୍ରସାରିତ ହୋଇଛି। ତେଲଙ୍ଗାନା ରାଜ୍ୟ ପବ୍ଲିକ ସର୍ଭିସ ଏକାଡେମି ପରିଦର୍ଶନରେ ଆସିଥିବା ୨୦୨୨ ବ୍ୟାଚ୍ ଶିକ୍ଷାନବିସ ଆଇଏଏସ୍ ଅଧିକାରୀ ଏନ୍ ଉମା ହରତୀଙ୍କୁ ସେଠାକାର ଉପନିର୍ଦେଶକ ଥିବା ଆଇପିଏସ୍ ଅଧିକାରୀ ଏନ୍. ଭେଙ୍କଟଶ୍ବରୁଲୁ ହସି ହସି ସାଲ୍ୟୁଟ୍ ମାରିବା ସହ ଫୁଲ ତୋଡ଼ା ଦେଇ ସ୍ବାଗତ କରିଥିଲେ। ଯାହାକି ସମସ୍ତେଙ୍କୁ ବିସ୍ମିତ କରିଛି ।
ସୂଚନାଯୋଗ୍ୟ ଯେ ଭେଙ୍କଟଶ୍ବରୁଲୁ ପଦୋନ୍ନତି ପାଇ ଆଇପିଏସ୍ ପାହ୍ୟାକୁ ଉନ୍ନୀତ ହୋଇଥିଲାବେଳେ ଝିଅ ଉମା ଆଇଆଇଟି ମାଡ୍ରାସରୁ ସିଭିଲ ଇଞ୍ଜିନିୟରିଂରେ ସ୍ନାତକ ଶିକ୍ଷା ଲାଭ କରିଛନ୍ତି। ପଞ୍ଚମ ପ୍ରୟାସରେ ସେ ତୃତୀୟ ସ୍ଥାନରେ ରହି ଆଇଏଏସ୍ ପାଇଛନ୍ତି। ବାପାଙ୍କ ଦ୍ବାରା ସେ ପ୍ରୋତ୍ସାହିତ ବୋଲି କହନ୍ତି।