ଭୁବନେଶ୍ୱର : ନବନିର୍ବାଚିତ ବିଧାୟକଙ୍କର ଆଜିଥିଲା ପ୍ରଥମ ଦିନ। ବିଧାୟକଙ୍କୁ ଶପଥ ଗ୍ରହଣ କରାଇଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ତିନି ଦିନ ପାଇଁ ଆରମ୍ଭ ହୋଇଥିବା ବିଧାନସଭାର ଅଧିବେଶନରେ ଏବେ ଶପଥ ପାଠ କାର୍ଯ୍ୟକ୍ରମ ଚାଲିଛି । ଆସନ୍ତାକାଲି ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲିବ ।
ଆଜିର ଦିନରେ ଅନେକ ଅଭୁଲା ଓ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା।ତନ୍ମଧ୍ୟରୁ ଗୋଟିଏ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ବିଧାନସଭାରେ ଶପଥ ଗ୍ରହଣ । ସେ ଆଜି ହିଞ୍ଜିଳିର ବିଧାୟକ ଭାବେ ଶପଥ ନେଇଥିଲେ। ସେ ଶପଥ ନେବା ପରେ ବିଧାୟକ ପ୍ରତାପ କେଶରୀ ଦେବଙ୍କ ସହିତ ନିଜ ଆସନ ଆଡ଼କୁ ଯାଉଥିଲେ। ଏହି ସମୟରେ କଣ୍ଟାବାଞ୍ଜିର ବିଜେପି ବିଧାୟକ ଲକ୍ଷ୍ମଣ ବାଗ ନିଜ ଆସନରୁ ଉଠିପଡ଼ି ତାଙ୍କୁ ନମସ୍କାର କରିବା ସହିତ ନିଜ ପରିଚୟ ଦେଇଥିଲେ। ପରିଚୟ ପାଇ ଲକ୍ଷ୍ମଣ ବାଗଙ୍କୁ ନବୀନ ଶୁଭେଚ୍ଛା ଜଣାଇବା ସହିତ ‘ଓଃ ୟୁ ଡିଫିଟେଡ୍ ମି’ (ଆପଣ ମୋତେ ପରାସ୍ତ କରିଥିଲେ) ବୋଲି କହିଥିଲେ। ଫଳରେ ଗୃହରେ ହାଲକା ହାସ୍ୟରୋଳ ସୃଷ୍ଟି ହୋଇଥିଲା।
ଅନ୍ୟପଟେ ଆଜି ଏକ ସୁନ୍ଦର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ଗଣତନ୍ତ୍ରର ସୌନ୍ଦର୍ଯ୍ୟ କହିଲେ ଅତ୍ୟୁକ୍ତି ହେବନି । ଆଉ ତାହା ହେଲା ନବୀନ ପଟ୍ଟନାୟକ ଯେତେବେଳେ ଶପଥ ନେବାକୁ ଆସିଥିଲେ, ସେତେବେଳେ ବିଜେପିର ସମସ୍ତ ନେତା ନିଜ ଚେୟାରୁ ଉଠିପଡ଼ିଥିଲେ । ଆଉ ହାତ ଯୋଡ଼ି ଶ୍ରଦ୍ଧା ଓ ସମ୍ମାନର ସହ ନବୀନଙ୍କୁ ନମସ୍କାର କରିଥିଲେ । ଆଉ ପ୍ରତି ଉତ୍ତରରେ ନବୀନ ମଧ୍ୟ ହାତ ଯୋଡ଼ି ହସ ହସ ମୁହଁରେ ସେମାନଙ୍କ ପ୍ରତିନମସ୍କାର କରିଥିଲେ ।