ସର୍ବସାମ୍ମତି କ୍ରମେ ବାଚସ୍ପତି ନିର୍ବାଚିତ ହେଲେ ଶ୍ରୀମତୀ ସୁରମା ପାଢ଼ୀ

ଭୁବନେଶ୍ୱର :ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହେଲେ ରଣପୁର ବିଧାୟିକା ସୁରମା ପାଢୀ । ସର୍ବସମ୍ମତି କ୍ରମେ ସୁରମା ପାଢୀ ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ଏନେଇ ଘୋଷଣା କରିଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ସୁରମା ଭାଜପାର ଜଣେ ବରିଷ୍ଠ ଏବଂ ଅଭିଜ୍ଞ ନେତ୍ରୀ ଭାବେ ଜଣାଶୁଣା ।ସେ ପୂର୍ବରୁ ମଧ୍ୟ ବିଜେଡି-ଭାଜପା ମେଣ୍ଟ ସରକାର ସମୟରେ ନିର୍ବାଚିତ ହୋଇ ମନ୍ତ୍ରୀ ରହିସାରିଛନ୍ତି। ତେଣୁ ସେହି ଦୃଷ୍ଟିରୁ ଦଳ ଜଣେ ମହିଳା ଏବଂ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କ ଉପରେ ଭରସା କରିଛି ।ସୁରମା ପାଢୀଙ୍କୁ ବାଚସ୍ପତି କରିବାକୁ ଗୃହରେ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯାହାକୁ ସମସ୍ତ ସଦସ୍ୟ ସମର୍ଥନ କରିଥିଲେ ।

ସୁରମା ପାଢୀ ୨୦୦୪ ମସିହାରେ ବିଧାୟିକା ଭାବେ ନିର୍ବାଚିତ ହେବା ସହ ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ । ଏବେ ବାଚସ୍ପତି ଭାବେ ମଧ୍ୟ ଗୁରୁଦାୟିତ୍ୱ ତୁଲାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତକାଲି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ସୁରମା ପାଢୀ ।ବିଧାନସଭାର ନୂତନ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, ଆପଣ ଚଳିତ ସପ୍ତଦଶ ବିଧାନସଭାର ବାଚସ୍ପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବାରୁ ମୁଁ ଆପଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

ବିଜେପି ସୁରମାଙ୍କୁ ବାଚସ୍ପତି ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ନିର୍ଦ୍ଧାରିତ ସମୟ ଦିନ ୧୨ଟା ପରେ ଅନ୍ୟ କେହି ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ପତ୍ର ଦାଖଲ କରି ନ ଥିଲେ । ତେଣୁ କେହି ପ୍ରତିଦ୍ୱନ୍ଦୀ ନଥିବାରୁ ସୁରମା ପାଢ଼ୀ ଏକ ପ୍ରକାର ବାଚସ୍ପତି ହେବା ସୁନିଶ୍ଚିତ ହୋଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!