ସ୍ନାନବେଦୀରେ ସେବାୟତଙ୍କ ବିଶୃଙ୍ଖଳିତ ଆଚରଣ, ଶ୍ରୀମନ୍ଦିର ପ୍ରଶାସନ ମୁକଦର୍ଶକ

ପୁରୀ : ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିଲା ସ୍ବତନ୍ତ୍ର ବ୍ୟବସ୍ଥାବଳୀ। ଭକ୍ତ ଓ ଭଗବାନଙ୍କ ମିଳନରେ ଯେମିତି ସେବାୟତ ଅଡୁଆଲ ନ ହୁଅନ୍ତି ସେ ପ୍ରତି ସର୍ବାଧିକ ଗୁରୁତ୍ବ ଦିଆଯାଇଥିଲା।

ବ୍ୟବସ୍ଥାବଳୀ ଅନୁଯାୟୀ, ସ୍ନାନଯାତ୍ରା ସହିତ ସମ୍ପୃକ୍ତ ସେବାୟତ ନୀତିକାନ୍ତି ବେଳେ ଉପସ୍ଥିତ ରହିବେ। କିନ୍ତୁ ପାଳି ନ ଥିବା ବହୁ ସଂଖ୍ୟାରେ ସେବକ ସ୍ନାନବେଦିରେ ଉପସ୍ଥିତ ଥିଲେ। ଯେଉଁମାନେ ଠାକୁରଙ୍କୁ ଅଢ଼ୁଆଳ କରି ବସିଥିଲେ। ଫଳରେ ଧାଡ଼ିରେ ଯାଉଥିବା ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ ।

କିଛି ସେବକ ଠାକୁରଙ୍କ ପଛପାର୍ଶ୍ବ ବାଡ଼ାରେ ବି ବସି ଫୁଲ, ତୁଳସୀ ବାଣ୍ଟୁଥିଲେ । ଯାହା ଠାକୁରଙ୍କ ପ୍ରତି ଅସମ୍ମାନ ବୋଲି ଭକ୍ତ କହିଛନ୍ତି। ଠାକୁରଙ୍କ ଦେହରୁ ବି ଲାଗି ମାଳ, ଫୁଲ, ତୁଳସୀ ଆଦି ଜଣେ ସେବକ ଖୋଲି ନେଉଥିବା ଓ ଏହାକୁ ଭକ୍ତଙ୍କୁ ଦେଉଥିବା ଦେଖିବାକୁ ମିଳିଥିଲା । ଯାହା ବ୍ୟବସ୍ଥାବଳୀ ବିରୋଧୀ ଯାହାକି ବ୍ୟବସ୍ଥାବଳୀରେ ସ୍ପଷ୍ଟ ଉଲ୍ଲେଖ ଥିଲା।

ସ୍ନାନ ବେଳେ କେବଳ ପୂଜାପଣ୍ଡା ଠାକୁରଙ୍କୁ ସ୍ନାନ କରାଇବାର ବ୍ୟବସ୍ଥା ରହିଥିଲା। ଗରାବଡ଼ୁମାନେ ରୂପା ପିଙ୍ଗଣରେ ପୂଜାପଣ୍ଡାଙ୍କୁ ସ୍ନାନ ଜଳ ଦେବାର ବ୍ୟବସ୍ଥା ରହିଥିଲା। କିନ୍ତୁ ମାଳମାଳ ସେବକ ସ୍ନାନବେଳେ ସ୍ନାନବେଦିରେ ଚଢ଼ି ବିଶୃଙ୍ଖଳା କରିଛନ୍ତି। ଫଳରେ ସ୍ନାନନୀତି ବି ଭକ୍ତ ଦେଖିପାରିନାହାନ୍ତି।

ଶେଷରେ ସବୁ ନିର୍ଦେଶାବଳୀ ପ୍ରତିଥର ଭଳି ଏଥର ମଧ୍ୟ ପାଣିରେ ଗାରଭଳି ଲାଗିଲା। ସବୁ ନିୟମ କିଛି ବିଶୃଙ୍ଖଳିତସେବାୟତଙ୍କ ପାଇଁ ମୂଲ୍ୟହୀନ। ଶ୍ରୀମନ୍ଦିର, ମହାପ୍ରଭୁ ଓ ସମସ୍ତ ରାଜ୍ୟକୁ ବିଶ୍ୱଦରବାରରେ ଅପମାନିତ କରିବାପାଇଁ ସରକାର ଓ ମନ୍ଦିର ପ୍ରଶାସନ କି ଶୃଙ୍ଖଳାତ୍ମକ ଦଣ୍ଡ ଦେଉଛନ୍ତି ସମସ୍ତେ ଅପେକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!