ପୁରୀ: ଶ୍ରୀ ବିଗ୍ରହ ମାନେ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡୀରେ ଅବସ୍ଥାନ କରିଛନ୍ତିି । ମହାପ୍ରଭୁଙ୍କ ସେବକ ଦଇତାପତି ଏବଂ ପତି ମହାପାତ୍ର ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତସେବା ସମ୍ପାଦନ କରୁଛନ୍ତି । ଶ୍ରୀ ବିଗ୍ରହ ମାନଙ୍କୁ ସୁସ୍ଥ କରିବା ପାଇଁ ଶୁକ୍ଳ ବସ୍ତ୍ର ପରିଧାନ ପରି ସେବା କରୁଛନ୍ତି । ମହାପ୍ରଭୁଙ୍କ ଅଣସରର କ୍ରମ ଅନୁସାରେ ପଞ୍ଚମୀ ତିଥୀରେ ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଳାଗି ହେବା ପରେ ଷଷ୍ଠ ତିଥି ଠାରୁ ତିନିଦିନ ଧରି ଓଷ ଲାଗି କରାଯାଇଥିଲା ।
ଏହି ପରିପେକ୍ଷୀରେ ଦଶମୀ ତିଥି ଅବସରରେ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇ ଦାଶମୀ ତିଥୀ ଶ୍ରୀମନ୍ଦିରକୁ ବୀଜେ କରାଯାଇଛି । ଜ୍ୱରରେ ପୀଡ଼ିତ ଦାରୁବିଗ୍ରହମାନେ ଏହି ଦଶମୂଳ ଲାଗି ହେଲାପରେ ସମ୍ପଣ୍ଣ ସୁସ୍ଥ ହେବେ । ତେଣୁ ଶ୍ରୀମନ୍ଦିରର ବୈଦ୍ୟ ସେବକମାନେ ମହାପ୍ରଭୁଙ୍କ ପାଇଁ ଦଶମୂଳ ପ୍ରସ୍ତୁତି କରି ଶ୍ରୀମନ୍ଦିକୁ ପ୍ରଦାନ କରିଛନ୍ତି । ଦଶମୂଳ ପ୍ରସ୍ତୁତ ପାଇଁ ଏକ ରୁ ଦେଢ ମାସ ପୂର୍ବରୁ ଏହାକୁ ସଂଗ୍ରହ କରିବାକୁ ପଡ଼ିଥାଏ । ସ୍ନାନପୂର୍ଣ୍ଣିମା ପରେ ଦଶମୂଳ ଯଥା ଗମ୍ଭାରୀ , ଫଣଫଣା , ଶାଳପନି , କୃଷ୍ଣପନ୍ନ , ଅଗବଥୁ , ବେଲ , ଅଙ୍କରାନ୍ତି , ଗୋଖରା ଏବଂ ଅନ୍ୟ ଦ୍ରବ୍ୟ ଗୁଡିକୁ ଶୁଖାଯାଇଥାଏ । ଏହାକୁ ହେମ ଦସ୍ତାରେ କୁଟାହୋଇ ଗୁଣ୍ଡ କରାଯାଏ ।
ଏହି ଗୁଣ୍ଡକୁ ଗାମୁଛାରେ ଛଣାଯାଏ । ନୂତନ କାଠ ଚୁଲିରେ କଡେଇ ବସାଯାଇ ଖୁଆ , ସକରା , ସର , ମହୁ ଘିଅ ଇତ୍ୟାଦି ଦ୍ରବ୍ୟ ଗୁଡିକୁ ପକାଯାଇ ଦଶମୂଳକୁ ପାଗ କରାଯାଏ । ପାଗ ପରେ ତାହାକୁ କଦଳୀ ପତ୍ରରେ ରଖାଯାଇ ଥଣ୍ଡାକରି ଗୋଲାକାର ମୋଦକ ପ୍ରସ୍ତୁତ ହୁଏ । ପରେ କୁଡୁଆରେ ଦଶମୂଳ ମୋଦକକୁ ରଖି ଏହା ଉପରେ କପୂର ପକାଇ ତାଳପତ୍ର ଭୋଗେଇରେ ପ୍ୟାକିଂ କରାଯାଏ । ଦଶମୀ ତିଥିରେ ଶ୍ରୀମନ୍ଦିର ଦାଖଲ କରାଯାଏ ।
ପରେ ପତିମାହାପାତ୍ର ଉକ୍ତ ମୋଦକୁ ମହାପ୍ରଭୁଙ୍କ ନିକଟରେ ଲାଗି କରିଥାନ୍ତି । ଦଶମୂଳ ମୋଦକ ଲାଗି ପରେ ଶ୍ରୀବିଗ୍ରହ ମାନେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥାନ୍ତି । ତେବେ ବୈଦ ସେବା ଏବଂ ଦଶମୂଳ ମୋଦକ ସମ୍ପର୍କରେ ସୂଚନା ଦେଇ ବୈଦ୍ୟ ଶୁଧାଂଶୁ ପ୍ରସାଦ ମିଶ୍ର ବ୍ରହ୍ମା କହିଛନ୍ତି କି ମହାପ୍ରଭୁ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୋଇଥାନ୍ତି । ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥାଏ ।
ପଞ୍ଚମୀ ତିଥିରେ ଫୁଲୁରୀ ତେଲେ ଓ ଷ୍ଷ୍ଠୀ ତିଥରୁ ନବମୀ ତିଥି ପର୍ଯ୍ୟନ୍ତ ଓଷ ଲାଗି ହୁଏ। କିନ୍ତୁ ମହାପ୍ରଭୁ ସଂପୂଣ୍ଣ ସୁସ୍ଥ ନହେବାରୁ ବୈଦ୍ୟ ମାନଙ୍କ ପକ୍ଷରୁ ଦଶମୀ ତିଥିରେ ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କ ଲାଗିକରାଯାଇଥାଏ । ଯାହାପରେ ଶ୍ରୀବିଗ୍ରହ ମାନେ ସଂପୂଣ୍ଣ ସୁସ୍ଥ ହୋଇଥାନ୍ତି । ତେବେ ମୋଦକ ପ୍ରସ୍ତୁତ ପାଇଁ ପ୍ରାୟ ଦେଢ ମାସ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ବିଭିନ୍ନ ଗଛର ଚେର ସଂଗ୍ରହ କରାଯାଇଥାଏ ।
ତେବେ ସ୍ନାନପୂର୍ଣ୍ଣିମା ପରେ ଆବଶ୍ୟକ ହେଉଥିବା ପଦାର୍ଥ ଗୁଡିକୁ ଶୁଖାଯାଏ । ପରେ ସେଗୁଡିକୁ କୁଟା ଯାଇ ଗୁଣ୍ଡ କରାଯାଏ । ପରେ ଛଣା ଯାଇଥାଏ । ଦଶମୀ ଦିନ ଉକ୍ତ ଗୁଣ୍ଡ ରେ ଚିନି , ମହୁ, ଘିଅ,ସର ଆଦି ପକାଯାଇ ମୋଦକ ପ୍ରସ୍ତୂତ ହୁଏ । ତେବେ ମୋଦକ ପ୍ରସ୍ତୁତି ଗୁପ୍ତ ସେବା ହୋଇଥିବାରୁ ମୋଦକରେ ବ୍ୟବହାର ହେଉଥିବା ପଦାର୍ଥ ଗୁଡିକୁ ପ୍ରକାଶ କରିବା ଉଚିତ୍ ନୁହେଁ ବୋଲି ଶ୍ରୀ ବ୍ରହ୍ମା କହିଛନ୍ତି । ଶ୍ରୀମନ୍ଦିରରେ ଦ୍ୱିପହର ଧୂପ ସମ୍ପନ୍ନ ହେବା ପରେ ମୋଦକ ଗୁଡିକୁ ଶ୍ରୀମନ୍ଦିରକୁ ନିଆଯାଏ । ପରେ ପତି ମହାପାତ୍ର ଏବଂ ଦଇତାପତି ମାନେ ଏହାକୁ ମହାପ୍ରଭୁଙ୍କୁ ଲାଗି କରିଥାନ୍ତି ।