କର୍ଣ୍ଣାଟକ:କର୍ଣ୍ଣାଟକର ଐତିହାସିକ ସହର ବିଜୟନଗର ଜିଲ୍ଲାର ହୋସାପେଟରେ ରଥଯାତ୍ରା ଉତ୍ସବ ବିପୁଳ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ସମ୍ପନ୍ନ ହୋଇଛି। ଏଥିରେ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତଙ୍କର ସମାଗମ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ସକାଳ ୫ଟା ବେଳେ ଦିଅଁମାନଙ୍କ ସମ୍ମୁଖରେ ମଙ୍ଗଳ ଆଳତି କରାଯାଇଥିଲା।
ଦିନ ୧୧ଟା ବେଳେ ରଥ ପ୍ରତିଷ୍ଠାଏବଂ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ନୀତି ଅନୁଷ୍ଠିତ ହୋଇଥିଲା। ୧୨.୩୦ ମିନିଟ୍ ସମୟରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯାଇଥିଲା। ୩.୩୦ମିନିଟ ବେଳେ ଚାରି ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା।ପରେ ମହାପ୍ରଭୁଙ୍କ ରଥଯାତ୍ରା ଝିପ ଝିପ ବର୍ଷାରେ ଆରମ୍ଭ ହୋଇଥିଲା। ସନ୍ଧ୍ୟା ସୁଦ୍ଧା ଶତାଧିକ ଶ୍ରଦ୍ଧାଳୁଙ୍କ ସହିତ ମହା ଆଡମ୍ବରରେ ମାଉସୀମା ଘରେ ରଥ ପହଞ୍ଚି ଯାଇଥିଲା।
ଇସ୍କନ ହୋସାପେଟେ ଶାଖା, କନ୍ନଡ଼, ତେଲଗୁ ଓ ଅନ୍ୟାନ୍ୟ ରାଜ୍ୟର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ସାନିଧ୍ୟ ପାଇବାକୁ ବ୍ୟାକୁଳ ହେଉଥିବାର ଦେଖାଯାଇଥିଲା।
ଆୟୋଜକ “ହୋସା” ଆସୋସିଏସନର ସମସ୍ତ ସଭ୍ୟ ବୃନ୍ଦଙ୍କ ଜଗନ୍ନାଥ ସଂସ୍କୃତିକୁ ଅନ୍ୟ ରାଜ୍ୟରେ ପ୍ରଚାର ଓ ପ୍ରସାର କରିବାର ପ୍ରାୟସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି।ରଥଯାତ୍ରାରେ ହୋସାପେଟ ରୁରାଲ ପୋଲିସ ଦ୍ୱାରା ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।