ପୁରୀ :ଆସନ୍ତା ସୋମବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଏହାର ପୂର୍ବ ପ୍ରସ୍ତୁତି ପାଇଁ ଆସନ୍ତା ୧୪ ତାରିଖ ରବିବାର ସନ୍ଧ୍ୟା ୫ଟାରୁ ଆଡ଼ପମଣ୍ଡପରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଏଣୁ ଧାର୍ଯ୍ୟ ସମୟ ମଧ୍ୟରେ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ନବମୀ ଦର୍ଶନ କରିହେବ।ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ମାଉସୀ ମା ମନ୍ଦିରକୁ ଆସିଛନ୍ତି ମହାପ୍ରଭୁ। ସେପଟେ ଅଭିମାନ କରି ହେରାପଞ୍ଚମୀରେ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରରେ ବିଜେ ପରେ ଶ୍ରୀମନ୍ଦିରକୁ ବାହୁଡ଼ିବା ପାଇଁ ମନ ବଳାଇଛନ୍ତି ମହାପ୍ରଭୁ।
ଏଥିପାଇଁ ଶୁକ୍ରବାର ତାଳଧ୍ଵଜ ଏବଂ ଦର୍ପଦଳନ ରଥକୁ କରାଯାଇଥିଲା ଦକ୍ଷିଣମୋଡ଼। ରାତି ହୋଇଯାଇଥିବାରୁ ଶନିବାର ସକାଳେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ କରାଯାଇଛି ଦକ୍ଷିଣ ମୋଡ଼। ୧୫ ତାରିଖରେ ଅନୁଷ୍ଠିତ ହେବ ବାହୁଡ଼ାଯାତ୍ରା। ଆଡ଼ପମଣ୍ଡପରୁ ପହଣ୍ଡି ହୋଇ ଆସି ରଥାରୂଢ ହେବେ ଶ୍ରୀବିଗ୍ରହ। ଏହାପରେ ବଡ଼ଦେଉଳ ଅଭିମୁଖେ ଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି।
ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ