ପୁରୀ: ଚର୍ଚ୍ଚିତ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଆଜି ଖୋଲିଲା l ଚାହିଁ ରହିଥି ଲେ ସାଢେ ଚାରି କୋଟି ଓଡ଼ିଆ। ମହାପ୍ରଭୁଙ୍କ ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାର ୫ ଦଶନ୍ଧି ପ୍ରତୀକ୍ଷାର ଘଟିଲା ଅନ୍ତ । ଯାହା ଜାଣିବାକୁ ଅନେଇ ବସିଛନ୍ତି ହଜାର ହଜାର ଜଗନ୍ନାଥ ପ୍ରେମୀ, ଆଜି ସେହି ଦିନ ଆସି ପହଞ୍ଚିଲା । ପୂର୍ବ ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ଖୋଲିଥିଲା ରତ୍ନଭଣ୍ଡାର ।ସରକାରଙ୍କ ଦ୍ୱାରା ଜାରି SOPକୁ ପାଳନ କରି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରତ୍ନଭଣ୍ଡାର ତାଲା ଖୋଲିଛନ୍ତି ।
କମିଟିର ୧୧ ସଦସ୍ୟ ପ୍ରଥମେ ବାହାର ଭଣ୍ଡାର ଅଳଙ୍କାରକୁ ସ୍ଥାନାନ୍ତରିତ କରିଥିଲେ ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, ପ୍ରଥମେ ବାହାର ରତ୍ନଭଣ୍ଡାର ତାଲାଖୋଲା ଯାଇଥିଲା । ସେଠାରେ ଥିବା ସବୁ ଅଳଙ୍କାରକୁ ଚାଙ୍ଗଡ଼ା ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍କୁ ନିଆଯାଇଥିଲା । ସମସ୍ତ ସଦସ୍ୟ ଓ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍କୁ ସିଲ୍ କରାଯାଇଥିଲା । ତା’ପରେ ଅଧିକୃତ ବ୍ୟକ୍ତିମାନେ ଭିତର ରତ୍ନଭଣ୍ଡାର ପାଖକୁ ଯାଇଥିଲେ । ଟ୍ରେଜେରୀରୁ ଆସିଥିବା ୩ ଚାବିରେ ଭିତର ରତ୍ନଭଣ୍ଡାରର ୩ ତାଲା ଖୋଲିବାକୁ ଉଦ୍ୟମ କରିଥିଲେ । ହେଲେ ସମ୍ଭବପର ହୋଇନଥିଲା ।
ଭିତର ରତ୍ନଭଣ୍ଡାର ଖୋଲିଲା ବେଳକୁ ବହୁ ସମୟ ହୋଇଯାଇଥିଲା । ସମସ୍ତଙ୍କ ସହମତିରେ ଆଜି ପାଇଁ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି । ଆଉ ଗୋଟିଏ ଦିନରେ ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରକୁ ସ୍ଥାନାନ୍ତର କରାଯିବ ବୋଲି ଡକ୍ଟର ପାଢ଼ୀ କହିଛନ୍ତି ।ସେ ଆହୁରି କହିଛନ୍ତି, ସମସ୍ତ ଅଳଙ୍କାର ସ୍ଥାନାନ୍ତର ହେବା ପରେ ରତ୍ନଭଣ୍ଡାରକୁ ଏଏସ୍ଆଇକୁ ହସ୍ତାନ୍ତର କରାଯିବ ।ସେହି ସମୟରେ ସମସ୍ତ ଅଳଙ୍କାରର ଗଣତି ମଣତି କରାଯିବ ଡକ୍ଟର ପାଢ଼ୀ କହିଛନ୍ତି ।
ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ