ରତ୍ନଭଣ୍ଡାରର ମରାମତି ନିତ୍ୟାନ୍ତ ଆବଶ୍ୟକ: ଗଜପତି

ପୁରୀ: ଗଜପତି ମହାରାଜଙ୍କ ଉପସ୍ଥିତରେ ଭିତର ରତ୍ନଭଣ୍ଡାରରୁ ଖଟଶେଯ ଘରକୁ ଅଳଙ୍କାର ସ୍ଥାନାନ୍ତର ଆରମ୍ଭ ହୋଇଛି। ଭିତର ରତ୍ନଭଣ୍ଡାରରୁ ଫେରି ଗଜପତି ମହାରାଜା ଏହି କାର୍ଯ୍ୟ ସନ୍ଧ୍ୟା ସୁଦ୍ଧା ଶେ‌ଷ ହେବ ବୋଲି କହିଛନ୍ତି। ରତ୍ନଭଣ୍ଡାରର ମରାମତି ଆବଶ୍ୟକ ବୋଲି ବି ସେ କହିଛନ୍ତି। ଗଜପତି ଆହୁରି କହିଛନ୍ତି ଯେ, ଖଟଶେଯ ଘରେ ଗହଣା ଓ ମୂଲ୍ୟବାନ ସାମଗ୍ରୀ ରଖାଯିବ। ଏହାପରେ କବାଟ ସିଲ୍ କରାଯିବ। କବାଟ ସିଲ୍ ହୋଇ ମୁଖ୍ୟ ପ୍ରଶାସକ ସରକାରୀ ଟ୍ରେଜେରିରେ ଚାବି ଦାଖଲ କରିବେ। ବାହାର ଓ ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପରେ ଏହାର ସ୍କାନିଂ କରାଯିବ। ଏହାପରେ ରତ୍ନଭଣ୍ଡାରକୁ ଏଏସଆଇକୁ ହସ୍ତାନ୍ତର କରାଯିବ। ଏଏସଆଇ ଏହାପରେ ଯାଇ ରତ୍ନଭଣ୍ଡାରର ମରାମତି କରିବ। ମରାମତି ସମୟରେ ଭକ୍ତଙ୍କ ଦର୍ଶନରେ କୌଣସି ଅସୁବିଧା ହେବନି।

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ନିର୍ଦ୍ଧାରିତ ସମୟ ୯ଟା ୫୧ରେ ଖୋଲିଲା ଭିତର ରତ୍ନଭଣ୍ଡାର। ବାହାର ଭଣ୍ଡାର ପରେ ଭିତର ରତ୍ନଭଣ୍ଡାରରେ ପ୍ରବେଶ କଲେ ୧୧ ଜଣିଆ ସ୍ୱତନ୍ତ୍ର ଟିମ୍ । ବାହାରେ ପ୍ରଥମେ ଲୋକନାଥ ମହାପ୍ରଭୁଙ୍କୁୁ ପୂଜାର୍ଚ୍ଚନା କରାଯିବା ପରେ ଜଉମୁଦ ଲାଗିଥିବା ଚାବିରେ ତାଲା ଖୋଲାଯାଇଥିଲା । ଏହାପରେ ଟିମ୍ ସଦସ୍ୟ ଜଗନ୍ନାଥ ଭଜନ ଗାଇ ଗାଇ ଭିରତକୁ ପ୍ରବେଶ କରିଥିବା ସୂଚନା ରହିଛି । ଏହାପରେ ଭିତର ରତ୍ନଭଣ୍ଡାରକୁ ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ, ଏସପି ପ୍ରବେଶ କରିଥିବା ଜଣାପଡିିଛି ।ଟିମ୍ ସହ ଭିତର ଭଣ୍ଡାରକୁ ଯାଇଛନ୍ତି ଓଡ୍ରାଫ ଟିମ୍ । ଭିତର ଭଣ୍ଡାରକୁ ଆଲୋକିକରଣ କରାଯିବା ସହ ପୁରା ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଉଛି । ତେବେ ଭିତର ଭଣ୍ଡାର ଭିତରେ କ’ଣ ଅଛି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!