ପଶ୍ଚିମବଙ୍ଗ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଏକ ଟଙ୍କା ଦେଇ ୭୫୦ ଏକର ଜମି ଦେବା ପ୍ରସଙ୍ଗରେ ମମତା ବାନାର୍ଜୀଙ୍କ ସରକାରଙ୍କୁ ଝଟକା ଲାଗିଛି। ହାଇକୋର୍ଟ ମମତା ବାନାର୍ଜୀଙ୍କ ସରକାରଙ୍କୁ ତିନି ସପ୍ତାହ ମଧ୍ଯରେ ସତ୍ଯପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ୍ ଜୟମାଲ୍ୟା ବାଗ୍ଚି ଏବଂ ଜଷ୍ଟିସ୍ ଅନନ୍ୟା ବାନାର୍ଜୀଙ୍କୁ ନେଇ ଗଠିତ କଲିକତା ହାଇକୋର୍ଟର ଏକ ଖଣ୍ଡପୀଠ ଶୁକ୍ରବାର ଏହି ମାମଲାର ଶୁଣାଣି କରି ସମସ୍ତ ପକ୍ଷଙ୍କୁ ତିନି ସପ୍ତାହ ମଧ୍ଯରେ ସତ୍ଯପାଠ ଦାଖଲ କରିବାକୁ କହିଛନ୍ତି।
ମମତା ବାନାର୍ଜୀ ସରକାର ସୌରଭ ଗାଙ୍ଗୁଲିଙ୍କୁ କାରଖାନା ନିର୍ମାଣ ପାଇଁ ଜମି ଦେଇଛନ୍ତି। ଅଭିଯୋଗ ହେଉଛି ଯେ ୭୫୦ ଏକର ଜମି ମାତ୍ର ଗୋଟିଏ ଟଙ୍କାରେ ୯୯୯ ବର୍ଷ ପାଇଁ ଲିଜ୍ ରେ ଦିଆଯାଇଛି।
ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କୁ ରାଜ୍ଯ ସରକାର ଦେଇଥିବା ଜମି ନିୟମ ଅନୁଯାୟୀ ଥିଲା କି ବୋଲି କଲିକତା ହାଇକୋର୍ଟ ପଚାରିଥିଲେ। ଜମିଟିର ବଜାର ମୂଲ୍ଯ କେତେ ବୋଲି କୋର୍ଟ ରାଜ୍ଯକୁ ପଚାରିଥିଲେ। ସୌରଭଙ୍କୁ ଟେଣ୍ଡର ପ୍ରଦାନ କରିବା ସମୟରେ ନିୟମ ପାଳନ କରାଯାଇଥିଲା କି? ଜମି ହସ୍ତାନ୍ତର ସମୟରେ ସରକାର ଏକ ଟେଣ୍ଡର ଦାଖଲ କରିଥିଲେ କି ନାହିଁ ତାହା ମଧ୍ଯ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ।
ହାଇକୋର୍ଟରେ ପିଟିସନ୍ ଦାଖଲ
ଗତ ବର୍ଷ ରାଜ୍ଯ ସରକାରଙ୍କ ଦ୍ୱାରା ଶିଳ୍ପ ବିକାଶ ପାଇଁ ସୌରଭଙ୍କୁ ପଶ୍ଚିମ ମେଦିନାପୁରର ଚନ୍ଦ୍ରକୋନା ରୋଡ ନିକଟରେ ଏକ ବିଶାଳ ଜମି ଦିଆଯାଇଥିଲା। ସୂଚନା ଅନୁଯାୟୀ , ରାଜ୍ଯ ସରକାର ଏହି ଜମିକୁ ସୌରଭଙ୍କୁ ୧ ଟଙ୍କାରେ ୯୯୯ ବର୍ଷ ପାଇଁ ଲିଜ୍ ରେ ଦେଇଛନ୍ତି। ଏହି ଦାବି ଉପରେ କଲିକତା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା।
ଶୁକ୍ରବାର ଦିନ କଲିକତା ହାଇକୋର୍ଟର ଜଷ୍ଟିସ୍ ଜୟମାଲ୍ୟା ବାଗ୍ଚି ଏବଂ ଜଷ୍ଟିସ୍ ଅନନ୍ୟା ବାନାର୍ଜୀଙ୍କ ଡିଭିଜନ୍ ବେଞ୍ଚ ଏହି ଜମି ମାମଲାର ଶୁଣାଣି କରିଥିଲେ। ଜମିର ହସ୍ତାନ୍ତର ଏବଂ ବ୍ଯବହାର ପଦ୍ଧତି ଉପରେ ମଧ୍ଯ ସେ ଏକ ସ୍ଥଗିତାଦେଶ ନିର୍ଦ୍ଦେଶ ଦେଇଛନ୍ତି।