ଓଡିଶାରେ ତିନୋଟି ନୂଆ ରେଳ ପ୍ରୋଜେକ୍ଟକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟବସ୍ଥାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସି.ସି.ଇ.ଏ.) ଓଡ଼ିଶା ପାଇଁ ତିନୋଟି ରେଳ ପ୍ରକଳ୍ପ ସମେତ ୮ଟି ରେଳ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛି।

ରେଳ ମନ୍ତ୍ରଣାଳୟ ଅନୁଯାୟୀ, ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶା,ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ଝାଡ଼ଖଣ୍ଡ, ବିହାର, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗର ୧୪ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିବ। ଏହାଦ୍ୱାରା ଭାରତୀଯ଼ ରେଳବାଇର ବର୍ତ୍ତମାନର ନେଟୱାର୍କ ୨୦୦ କିଲୋମିଟରକୁ ବୃଦ୍ଧି ପାଇବ।

ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ୪ଟି ଆକାଂକ୍ଷୀ ଜିଲ୍ଲା ଯଥା-ମାଲକାନଗିରି , କଳାହାଣ୍ଡି, ନବରଙ୍ଗପୁର ଏବଂ ରାୟଗଡା ମଧ୍ଯରେ ସଂଯୋଗୀକରଣକୁ ପ୍ରୋତ୍ସାହନ ଦେବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ ଓଡ଼ିଶାର ଦକ୍ଷିଣ ଏବଂ ପଶ୍ଚିମ ଭାଗ ପାଇଁ ତିନୋଟି ପ୍ରକଳ୍ପ ମଞ୍ଜୁର ହୋଇଛି। ଏଗୁଡ଼ିକ ମଧ୍ଯରେ ରହିଛି ୭୩ କିଲୋମିଟର ଦୀର୍ଘ ଗୁଣୁପୁର-ବାହୁବଲୀ ନୂତନ ରେଳ ଲାଇନ, ୧୧୬ କିଲୋମିଟର ଦୀର୍ଘ ଜୁନାଗଡ଼-ନବରଙ୍ଗପୁର ନୂତନ ରେଳ ଲାଇନ ଏବଂ ୧୭୩ କିଲୋମିଟର ଦୀର୍ଘ ମଲକାନଗିରି-ପାଣ୍ଡୁରଙ୍ଗପୁର ନୂତନ ରେଳ ଲାଇନ।ଏହି ତିନୋଟି ପ୍ରକଳ୍ପ ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାକୁ ସଂଯୋଗ କରୁଥିବା ଏକ କରିଡରକୁ ସମ୍ପୂର୍ଣ୍ଣ କରିବ। ପର୍ଯ୍ଯଟନ, ନିଯୁକ୍ତି, ଖଣିଜ ସୁରକ୍ଷା ଏବଂ ଶକ୍ତି ସୁରକ୍ଷା ଦୃଷ୍ଟିରୁ ଏଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ।

ଓଡ଼ିଶା ମୁଖ୍ଯମନ୍ତ୍ରୀ ମୋହନ ମାଞ୍ଝି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି। ମୁଖ୍ଯମନ୍ତ୍ରୀ କହିଥିଲେ ଯେ ଏହି ପଦକ୍ଷେପ ନିଶ୍ଚିତ ଭାବେ ଓଡ଼ିଶାର ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବ। ବିଶେଷ କରି, ଏହା କଳାହାଣ୍ଡି, ନବରଙ୍ଗପୁର, ମଲକାନଗିରି, କେନ୍ଦୁଝର ଏବଂ ମଯ଼ୂରଭଞ୍ଜ ଜିଲ୍ଲାର ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

Leave a Reply

Your email address will not be published. Required fields are marked *

error: Content is protected !!