ଚତୁର୍ଥ ବିଶ୍ୱ ନିୟନ୍ତାଙ୍କ ରଥ ସେବା ସମ୍ମାନ ପ୍ରଦାନ।

ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ) : ଚଳିତ ବର୍ଷ ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଶେଷ ହୋଇଛି।ବିପୁଳ ଭକ୍ତଙ୍କ ସମାଗମ ସତ୍ତ୍ୱେ ସମସ୍ତଙ୍କ ସହଯୋଗ ସର୍ବୋପରି ବିଶ୍ୱନିୟନ୍ତାଙ୍କ ଆଶୀର୍ବାଦ ରୁ ଏହା ସଫଳ ହୋଇଛି।ତେଣୁ ରଥ ନିର୍ମାଣ ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିବା ସେବାୟତ, ରଥ ସେବକ, ପ୍ରଶାସନିକ କର୍ମକର୍ତ୍ତା,ଶ୍ରୀମନ୍ଦିର ପ୍ରଶାସନ କୁ ଏଥିପାଇଁ ଧନ୍ୟବାଦ ବୋଲି କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।ଆଜି ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ରଥସେବା ସମ୍ମାନ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆଗାମୀ ଦିନ ରେ ପୁରୀ ଭାରତର ଏକ ଶ୍ରେଷ୍ଠ ତୀର୍ଥ ଭିତ୍ତିକ ସହରରେ ପରିଗଣିତ ହେବ ବୋଲି କହିଥିଲେ।ବାହାରୁ ଆସୁଥିବା ଅନେକ ଭକ୍ତ ଜଗନ୍ନାଥ ସଂସ୍କୃତି କୁ ଭଲ ପାଆନ୍ତି।କିନ୍ତୁ ମନ୍ଦିର ପ୍ରବେଶ ପାଉ ନ ଥିବାରୁ ଅନେକ ତଥ୍ୟ ସଂପର୍କରେ ଜାଣି ପାରନ୍ତି ନାହିଁ।ସେମାନଙ୍କ ପାଇଁ ଏକ ବୃହତ ଇଣ୍ଟରପ୍ରିଟେସନ ସେଣ୍ଟର କରାଯିବାର ଲକ୍ଷ୍ୟ ରଖାଯାଇଛି।ସେଥିରେ ସେମାନେ ୨/୩ ଘଣ୍ଟା ବୁଲିବା ସହ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଅନେକ ତଥ୍ୟ ପାଇ ପାରିବେ।ସେହିପରି ମନ୍ଦିର ଦର୍ଶନ ସାରି ଫେରିବା ବେଳେ ମହାପ୍ରସାଦ ଘରକୁ ନେଲେ ଯେଉଁ ଶାନ୍ତି ଓ ଆତ୍ମ ତୃପ୍ତି ମିଳେ ତାହାର ବ୍ୟବସ୍ଥା ପାଇଁ ମଧ୍ୟ ଚିନ୍ତା କରାଯାଉଛି ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଥିଲେ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ କୁମାର ପାଢ଼ୀ ମହାପ୍ରଭୁଙ୍କ ଯାତ୍ରାକୁ ନିଜେ ମହାପ୍ରଭୁ ପରିଚାଳନା କରନ୍ତି।ମହାପ୍ରଭୁଙ୍କ ଇଚ୍ଛା ରେ ଆମେ ସମସ୍ତେ ସହଯୋଗୀ ଭାବେ କାର୍ଯ୍ୟ କରି ଏହାକୁ ସଫଳ କରି ପାରିଛନ୍ତି ବୋଲି ସେ କହିବା ସହ ଭବିଷ୍ୟତରେ ମଧ୍ୟ ଅନୁରୂପ ସହଯୋଗ କାମନା କରିଥିଲେ। ଶ୍ରୀକ୍ଷେତ୍ର ସୂଚନା ର ଅଧ୍ୟକ୍ଷ ପ୍ରଫେସର ହରେକୃଷ୍ଣ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ,ସେବାୟତ ମଧୁସୂଦନ ସିଂହାରୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରାରମ୍ଭରେ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ର ସଂପାଦକ ରାଜେଶ କୁମାର ମହାନ୍ତି ସମସ୍ତଙ୍କୁ ସ୍ୱାଗତ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା,ବଦ୍ରି ମିଶ୍ର ଅତିଥି ପରିଚୟ ଦେଇଥିଲେ।ସଂଯୋଜକ ବିଶ୍ୱନାଥ ମିଶ୍ର ଓ ଶ୍ୟାମ ସୁନ୍ଦର ସେନାପତି ମଞ୍ଚ ପରିଚାଳନା କରିଥିଲେ।ଉପଦେଷ୍ଟା ତଥା ସଂଯୋଜକ ଭରତ ନାୟକ, ହେକ୍ଟର ମିଶ୍ର ଓ ଅନ୍ୟାନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲେ।ପରେ ଅତିଥି ମାନେ ସେବାୟତ, ରଥ ନିର୍ମାଣ ସେବକ, ପ୍ରଶାସନିକ ଅଧିକାରୀ ଓ ଅନ୍ୟାନ୍ୟ କ୍ଷେତ୍ରର ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରି ଥିଲେ।ପ୍ରାରମ୍ଭରେ ଦେବଦଳନ ରଥର ମୁଖ୍ୟ ମହାରଣା କୃଷ୍ଣଚନ୍ଦ୍ର ମହାରଣା ଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଅତିଥି ମାନେ ଶ୍ରୀଶ୍ରୀକ୍ଷେତ୍ର ସୂଚନା କୃଷି ଓ ଫୋକ ବ୍ରୋଚରକୁ ଉନ୍ମୋଚିତ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!