ପୁରୀ ଖଜା ବ୍ୟବସାୟୀ ହତ୍ୟା ଘଟଣାରେ ୯ଜଣ ଗିରଫ : ଏସ ପି

ପୁରୀ (ରିପୋର୍ଟ- ସମୀର ରଞ୍ଜନ ନାୟକ ) : ପୁରୀ ଟାଉନ ଥାନା ଅନ୍ତର୍ଗତ ରାଧା ଗୋବିନ୍ଦ ଲେନ୍ ରେ ଖଜା ବ୍ୟବସାୟୀ ହରିହର ସାହୁ ହତ୍ୟାକାଣ୍ଡ ଘଟଣାରେ ପୋଲିସ ବାପ ପୁଅଙ୍କ ସମେତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୁଇଜଣ ଅଭିଯୁକ୍ତ ଏବେ ବି ଫେରାର ଥିବାବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଖଜା ବ୍ୟବସାୟକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଗୋଟିଏ ଖଣ୍ଡା, ଦୁଇଟି କଟୁରୀ ଏବଂ ଗୋଟିଏ ଭୁଜାଲି ପୋଲିସ ଜବତ କରିଛି। ହତ୍ୟାକାଣ୍ଡରେ ଗିରଫ ହୋଇଥିବା ଅଭିଯୁକ୍ତ ବାପ ପୁଅ ହେଲେ ରାଧା ଗୋବିନ୍ଦ ଲେନ୍ ର ବିଜୟ ଖୁଣ୍ଟିଆ ଓ ରାକେଶ କୁମାର ଖୁଣ୍ଟିଆ।‌ ସେହିପରି ୭ ଜଣ ନାବାଳକ ମଧ୍ୟ ଏହି ହତ୍ୟାକାଣ୍ଡ ଘଟଣାରେ ସାମିଲ୍ ଅଛନ୍ତି।

ଗତ ୮ ତାରିଖରେ ଖଜା ବ୍ୟବସାୟକୁ କେନ୍ଦ୍ରକରି ରାଧା ଗୋବିନ୍ଦ ଲେନ୍ ରେ ଯୁବ ଖଜା ବ୍ୟବସାୟୀ ଦିନେଶ ଖୁଣ୍ଟିଆଙ୍କୁ ପ୍ରଦୀପ ସାହୁ ଓ ତା’ର ସହଯୋଗୀ ମାନେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ପୋଲିସ ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଏହି ଘଟଣାକୁ କେନ୍ଦ୍ରକରି ମୃତ ଦିନେଶ ଖୁଣ୍ଟିଆର ବଡ଼ଭାଇ ଓ ବାପା ପ୍ରତିଶୋଧ ପରାୟଣ ହୋଇ ଗତ ୧୯ ତାରିଖ ଶୁକ୍ରବାର ସନ୍ଧ୍ୟାରେ ଅଭିଯୁକ୍ତ ପ୍ରଦୀପ ସାହୁର ବାପା ହରିହର ସାହୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ସିଟି ଡିଏସପି ପ୍ରଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।‌ ପୋଲିସ ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଖୁବଶୀଘ୍ର ଅନ୍ୟ ଦୁଇ ନାବାଳକ ଅଭିଯୁକ୍ତଙ୍କୁ ଗିରଫ କରିବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଏସପି।

Leave a Reply

Your email address will not be published. Required fields are marked *

error: Content is protected !!