ସ୍ୱାୟତ୍ତ ଶାସନ ଦିବସ ଅବସରରେ ୨୮୬ ଜଣଙ୍କୁ ଜମି ପଟ୍ଟା ବଣ୍ଟନ

ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ ): ସ୍ୱାୟତ୍ତ ଶାସନ ଦିବସ ଅବସରରେ ପୁରୀ ପୌର ପରିଷଦ ପକ୍ଷରୁ ୨୮୬ ଜଣ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଛି।ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଓ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ନଗରବାସୀଙ୍କୁ ସୁସ୍ଥ, ସ୍ୱଛ ଓ ସୁରକ୍ଷିତ ରଖିବା ସ୍ୱାୟତ୍ତ ଶାସନର ଧେୟ ହେବା ଉଚିତ ବୋଲି କହିଥିଲେ।ପୌରପାଳିକାର ସମସ୍ତ ଅଧିକାରୀ ଓ କର୍ମଚାରୀ ସାଧାରଣ ଜନତା ଙ୍କ ମୌଳିକ ସୁବିଧା ଗୁଡିକ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ଅତିଥି ମାନେ ମତଦେବା ସହ ନାଗରିକ ମାନେ ମଧ୍ୟ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ହେବାକୁ ଅନୁରୋଧ କରିଥିଲେ।

ଏହି ଅବସରରେ ସର୍ବୋଦୟ ନଗର ଠାରେ ସହରାଞ୍ଚଳ ବାସହୀନ ଙ୍କ ପାଇଁ ଆଶ୍ରୟ ସ୍ଥଳ,ବିଶ୍ୱନାଥ ନଗର ଠାରେ ମାଇକ୍ରୋ ଆକ୍ଟିଭିଟି କେନ୍ଦ୍ର ଓ ଏକ ପାର୍କ,ବଳିଆପଣ୍ଡା ଅଙ୍ଗନବାଡ଼ି କେନ୍ଦ୍ର ନିକଟସ୍ଥ ଖୋଲା ସ୍ଥାନ ର ଉନ୍ନତି କରଣ,ଚୈତନ୍ୟ ସାରସ୍ୱତ ମଠ ଠାରେ ପାର୍କିଂ ବ୍ୟବସ୍ଥା, ଓ ପାରା ନୋଳିଆ ସାହି ଜାଗାର ଉନ୍ନତି କରଣ ଏହି ଭଳି ୬ ଗୋଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଉଦଘାଟନ କରିଥିଲେ।ସାଂସଦ ଓ ବିଧାୟକ ବଳିଆପଣ୍ଡା ସ୍ଥିତ ବିଜୟ ନଗର ଠାରେ ୨୮୬ ଜଣ ବସ୍ତି ବାସିନ୍ଦା ଙ୍କ ପାଇଁ ଉଦ୍ଦିଷ୍ଟ ଜମି ପଟ୍ଟା ବଣ୍ଟନ କରିଥିଲେ।କାର୍ଯ୍ୟକ୍ରମ ରେ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ତହସିଲଦାର ଅଭିଷେକ ଦାଶ,ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ପ୍ରଧାନ, ଏନଫୋର୍ସମେଣ୍ଟ ଅଫିସର ଦେବାଶିଷ ନାୟକ,ପୂର୍ବତନ କାଉନସିଲର ସୁପ୍ରିୟା ପାତ୍ର ଓ ଜମ୍ବେଶ୍ୱର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!