୧୮ ତାରିଖ ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ନୀତି ନିର୍ଘଣ୍ଟ,

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ):ଆସନ୍ତା ୧୮ ତାରିଖ ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ନୀତି ନିର୍ଘଣ୍ଟ । ASI ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ରତ୍ନଭଣ୍ଡାର ଯାଞ୍ଚ ହେବ । ରାତ୍ର ୨ଟାରୁ ଦ୍ବାରଫିଟା, ରାତ୍ର ୩ଟାରେ ମଙ୍ଗଳ ଆଳତି । ଦିନ ୧ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ, ମିଳିବ ଅବଢ଼ା ।ଚଳିତ ମାସ ୧୮ ତାରିଖରେ ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଅନୁଷ୍ଠିତ ହେବ । ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ASI) ପକ୍ଷରୁ ଆସନ୍ତା ୧୮ ସେପ୍ଟେମ୍ବର ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଅନୁଷ୍ଠିତ ହେବ ।

ଏନେଇ ASI ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଏବଂ ବୈଷୟିକ ଯାଞ୍ଚ ଅନୁଷ୍ଠିତ ହେବ । ASIର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ନିରୀକ୍ଷଣ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି ।ଏଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ କୋଠରୀକୁ ସ୍ଥାନାନ୍ତରଣ ଏବଂ ଖାଲି ଆଲମିରା ତଥା ସିନ୍ଦୁକ ଗୁଡିକ ସ୍ଥାନାନ୍ତରିତ ହୋଇସାରିଛି ।

ତାପରେ ASIକୁ ସଂରକ୍ଷଣ ତଥା ମରାମତି କାର୍ଯ୍ଯ ହାତକୁ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲେ।ମରାମତି ପୂର୍ବରୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସର୍ଭେ କରାଯିବାକୁ ଅନୁରୋଧ କରାଯାଇଥିଲା । ଏହାଦ୍ବାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନପଡିବ ସେଥିପ୍ରତି ଧ୍ୟାନ ଦେବାକୁ ASI କୁ ଅନୁରୋଧ କରାଯାଇଥିଲା । ପୂର୍ଣ୍ଣାଙ୍ଗ ଅତ୍ଯାଧୁନିକ ତଥା ବୈଷୟିକ ଯାଞ୍ଚ ପରେ ASI ରତ୍ନଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ଯ ଯଥାଶୀଘ୍ର ସାରିବାକୁ ମୁଖ୍ଯ ପ୍ରଶାସକ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!