୬ କୁଇଣ୍ଟାଲ ୩୬କି.ଗ୍ରା ଗଞ୍ଜେଇ ସହିତ ବୋଲେରୋ ଜବତ,୪ ଜଣ ଗିରଫ

ବରଗଡ଼(ରିପୋର୍ଟ – ମୁକୁନ୍ଦ ଦାସ ): ଗ୍ରାମାଞ୍ଚଳ ଥାନା ପୋଲିସ ଗୁରୁବାର ଗଞ୍ଜେଇ ବୋଝେଇ ଏକ ବୋଲେରୋ (ନଂ.ଓଡ଼ି୧୫ଏକ୍ସ/୮୩୮୦)କୁ ଜବତ କରିଛି। ସେଥିରେ ବୋଝଇ ହୋଇଥିବା ୬ କୁଇଣ୍ଟାଲ ୩୬କି.ଗ୍ରା ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲା ବାଉଁଶୁଣୀ ଥାନା ବୋହିରା ଗ୍ରାମର ବୁଦ୍ଧଦେବ ମହାକୁର(୨୮), କନ୍ଧଡୁମାଳ ଗ୍ରାମର ଉଦୟ ପ୍ରଧାନ(୨୫), ଢ଼େଙ୍କାନାଳ ଜିଲା ରୋସୋଲ ଥାନା ଠେଙ୍ଗା ଗ୍ରାମର ଟୁଟୁ ଦେହୁରୀ(୪୮) ଏବଂ ଅନୁଗୋଳ ଜିଲା ଅନୁଗୋଳ ଥାନା ସୁସୁଡ଼ା ଗ୍ରାମର ଶାଶ୍ୱତ ସୁନ୍ଦର ଦାଶ(୩୭)। ସେମାନଙ୍କ ପାଖରୁ ୫ ମୋବାଇଲ ଏବଂ ନଗଦ ୪ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ବରଗଡ଼ ଗ୍ରାମାଞ୍ଚଳ ଥାନାରେ ଏକ ମାମଲା (ନଂ.୨୦୧/୨୪) ରୁଜୁ ହୋଇଛି। ସେମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି।

ଗ୍ରାମାଞ୍ଚଳ ଥାନାରେ ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ତପନ କୁମାର ମହାନ୍ତି ସୂଚନା ଦେଇ କହିଥିଲେ, ଜବତ ବୋଲେରୋରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଫଳରେ ଏସ୍‌ପି ପି.ଏସ୍‌ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମାଞ୍ଚଳ ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍‌ ସେଥିପ୍ରତି ନଜର ରଖିଥିଲେ। ସମ୍ପୃକ୍ତ ଗଞ୍ଜେଇ ବୋଝେଇ ଗାଡ଼ିଟି ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ା-ଆମ୍ବସଡ଼ା ବାଇପାସ୍‌ ରାସ୍ତାରେ ଯାଉଥିବା ବେଳେ ପୋଲିସ ଟିମ୍‌ ସେହି ଗାଡ଼ିକୁ ଧରିଥିଲେ। ବୌଦ୍ଧ ଜିଲାରୁ ଛତିଶଗଡ଼ ରାଜ୍ୟ ରାୟପୁରକୁ ଜବତ ଗଞ୍ଜେଇ ବୋଝେଇ ବୋଲେରୋ ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଅତିରିକ୍ତ ଏସ୍‌ପି ମହାନ୍ତି କହିଛନ୍ତି। ଏ ନେଇ ଅଧିକ ତଦନ୍ତ ଚାଲୁଛି ଏବଂ ଗଞ୍ଜେଇ ଚାଲାଣ ପ୍ରତି ପୋଲିସ ସବୁବେଳେ ସତର୍କ ଦୃଷ୍ଟି ରଖିଆସିଛି ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!