କଟକ: ମହାନଦୀବିହାର ଅଞ୍ଚଳରେ ଘଟିଛି ନିର୍ମମ ହତ୍ୟାକାଣ୍ଡ। ଦୁଇ ପୁଅ ନିଜ ମା’ର ତଣ୍ଟି କାଟି ବିଭତ୍ସ ଭାବେ ହତ୍ୟା କରିଛନ୍ତି। ଚାଉଳିଆଗଞ୍ଜ ଥାନା ପୁଲିସ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଅଛି। ତାକୁ ଧରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ।ମହାନଦୀବିହାରର ପ୍ଲଟ୍ ନମ୍ବର ୭୧୪ରେ ଘର କରି ବହୁବର୍ଷ ହେଲା ରହିଥିଲେ ଅନିମା ମହାନ୍ତି (୭୪), ତାଙ୍କ ପୁଅ ଅଂଶୁମାନ ମହାନ୍ତି (୫୦) ଓ ଅନୁରାଗ ମହାନ୍ତି (୪୬)।
ପୂର୍ବରୁ ଅନିମାଙ୍କ ସ୍ୱାମୀଙ୍କର ଅସ୍ବଭାବିକ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଏକମାତ୍ର ଝିଅର ବି ଅପମୃତ୍ୟୁ ଘଟିଥିଲା। ସେମାନଙ୍କ ଘରକୁ ବାହାର ଲୋକ କେହି ଯାଉ ନଥିବା ବେଳେ ଦୁଇ ପୁଅ ବିଭିନ୍ନ ସମୟରେ ଘର ଭିତରେ ପୂଜାର୍ଚ୍ଚନା କରୁଥିବା ସ୍ଥାନୀୟ ଲୋକ କହିଛନ୍ତି।
ଅବିବାହିତ ଦୁଇ ଭାଇ ଅତ୍ୟନ୍ତ ବିଚିତ୍ର ଢଙ୍ଗରେ ଘରେ ଶହେରୁ ଅଧିକ ବିଲେଇ ରଖିଥିଲେ। ସେମାନଙ୍କର ଏଭଳି ଆଚରଣ ଯୋଗୁଁ ଅନିମା ବାଲେଶ୍ବରରେ ଥିବା ନିଜ ଝିଆରୀ ଘରେ ରହୁଥିବା ବେଳେ କିଛି ଦିନ ପୂର୍ବରୁ ଘରକୁ ଆସିଥିଲେ। ଆଜି ମା’ଙ୍କୁ ମାରିବା ପରେ ଘରେ ବିଲେଇ ମରିଯାଇଛି ବୋଲି ଦୁଇ ଭାଇ ପାଖ ପଡ଼ୋଶୀଙ୍କୁ କହିଥିଲେ। ମା’ଙ୍କୁ ହତ୍ୟା କରିବା ପରେ ବଡ଼ପୁଅ ଅଂଶୁମାନ ସ୍ଥାନୀୟ ଅଞ୍ଚଳର କିଛି ମଣ୍ଡପରେ ଏକାଦଶ ଭୋଜି କରିବା ପାଇଁ ମଣ୍ଡପ କର୍ମଚାରୀଙ୍କ ସହ ଆଲୋଚନା କରିଥିଲା। ସପ୍ତାହେ ପୂର୍ବରୁ ଦୁଇ ଭାଇ ସନ୍ଧ୍ୟା ସମୟରେ କଟକ ସଦର ଥାନା ଫୁଲନଖରା ଅଞ୍ଚଳରେ ଅସଂଯତ ଅବସ୍ଥାରେ ବୁଲୁଥିବା ବେଳେ ସ୍ଥାନୀୟ ଲୋକ ସେମାନଙ୍କୁ ନିର୍ଧୁମ ବାଡେଇଥିଲେ । ଖବରପାଇ ପୁଲିସ ସେମାନଙ୍କୁ ଉଦ୍ଧାର କରି ମହାନଦୀବିହାରରେ ଛାଡ଼ିଥିଲା। ଆଇଆଇସି ଦେବେନ୍ଦ୍ର ବିଶ୍ୱାଳ ଫରେନ୍ସିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।