ବରଗଡ଼(ରିପୋର୍ଟ -ମୁକୁନ୍ଦ ଦାସ ): ବରଗଡର ସାମାଜିକ ଅନୁଷ୍ଠାନ ଭାରତ ସମନ୍ବିତ ସମାଜ କଲ୍ୟାଣ ସଂସ୍ଥା (ବିଶ୍ବ)ର ପ୍ରତିଷ୍ଠାତା ଡ଼ଃ କ୍ଷୀରୋଦ ମଲ୍ଲିକ (୬୮)ଙ୍କ ବୁଧବାର ସମ୍ବଲପୁର ଦାନିପାଲି ସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି I ସେ ତାଙ୍କ ପଛରେ ପୁଅ ଦେବବ୍ରତ ଏବଂ ୩ ଝିଅଙ୍କୁ ଛାଡ଼ି ଯାଇଛନ୍ତି I ସ୍ବର୍ଗତ ମଲ୍ଲିକ ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କର ବଡ଼ଭାଇ ଅଟନ୍ତି I ୧୯୯୪ ମସିହା ଜାନୁଆରୀ ୧ ତାରିଖ ରେ ସମ୍ବଲପୁରରେ ସାମାଜିକ ସଙ୍ଗଠନ ‘ବିଶ୍ବ’ ପ୍ରତିଷ୍ଠା କରିଥିଲେ I ଏହି ସମୟରେ ସେ ହଜାର-ହଜାର ସଂଖ୍ୟାରେ ମହିଳା ଏସ୍ଏଚ୍ଜି ଗଠନ କରି ପ୍ରଶଂସିତ ହୋଇଥିଲେ I ତାଙ୍କ ଉଦ୍ୟମରେ ଅସହାୟ ବିଧବା, ମାନସିକ ଅନଗ୍ରସର ମହିଳାଙ୍କ ଥଇଥାନ ପାଇଁ ସ୍ଵଧାର, ଗରିବ ବିଦ୍ୟାର୍ଥୀଙ୍କ ପାଇଁ ୧୬ଟି ସ୍କୁଲ ପ୍ରତିଷ୍ଠା ହୋଇଥିଲା I ରାଜ୍ୟର ୨୨ଟି ଜିଲ୍ଲା ସହିତ ସମ୍ବଲପୁର ମାନେଶ୍ଵର ବ୍ଲକ୍ର ୪୦ଟି ଗାଁରେ ସ୍ଵଜଳଧାରା କାର୍ଯ୍ୟକାରୀ କରାଯାଇଥିଲା I ୨୦୧୧ ମସିହା ପର୍ଯ୍ୟନ୍ତ ‘ବିଶ୍ବ’ ବିଭିନ୍ନ ପ୍ରକାର ସରକାରୀ ଯୋଜନାରେ ସହଯୋଗୀ ସଂସ୍ଥା ରୂପେ କାର୍ଯ୍ୟ କରୁଥିଲା Iତାଙ୍କ ସାମାଜିକ ସଙ୍ଗଠନରେ ଅନେକ ସଂଖ୍ୟାରେ ଯୁବକ-ଯୁବତୀ ରୋଜଗାର ପାଇଥିଲେ I
ସ୍ବର୍ଗତ ମଲ୍ଲିକ ଅନେକ ସାଂସ୍କୃତିକ ସଙ୍ଗଠନ ଏବଂ ଯାତ୍ରା ଆଦିର ପୃଷ୍ଠପୋଷକ ମଧ୍ୟ ଥିଲେ I ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅନେକ ସମ୍ମାନ ମିଳିଥିଲା I ସମ୍ବଲପୁର ସମେତ ରାଜ୍ୟରେ ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ବ ଭାବରେ ଜଣାଶୁଣା ଥିଲେ । ତେବେ ପରବର୍ତ୍ତୀ କାଳରେ ଡାଲି ଦୁର୍ନୀତିରେ ଭଉଣୀ ପୂର୍ବତନମନ୍ତ୍ରୀ ପ୍ରମିଳା ମଲ୍ଲିକ ଅଭିଯୁକ୍ତ ହେବା କ୍ଷୀରୋଦ ମଲ୍ଲିକଙ୍କ ପାଇଁ ଏକ ଶକ୍ତ ଧକ୍କା ହୋଇଥିଲା I ମାଇକ୍ରୋ ଫାଇନାନ୍ସ ଋଣ ବ୍ୟବସ୍ଥା ନେଇ ‘ବିଶ୍ବ’ ଉପରେ ଇଡି ଚଢ଼ଉ ହୋଇଥିଲା । ଏହି ଘଟଣାରେ ଗିରଫ ହୋଇ ସେ ଅନେକ ଦିନ ଜେଲ୍ରେ ରହିଥିଲେ I ଜାମିନ ପାଇ ସମ୍ବଲପୁର ଫେରିଥିଲେ ମଧ୍ୟ ‘ବିଶ୍ବ’ର ପ୍ରଭାବ ହ୍ରାସ ପାଇଥିଲା I ସ୍ବର୍ଗତ ମଲ୍ଲିକ ପ୍ରଥମେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧିକାରୀ ଭାବେ ଚାକିରି କରିଥିଲେ I ଆଜି ଯାଜପୁର ଜ଼ିଲ୍ଲା ବିଞ୍ଝାରପୁର ସ୍ଥିତ ମନସଡା ପୈତୃକ ବାସଭବନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି I
