ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅତିଶୀ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ନେତ୍ରୀ ଅତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସାକ୍ସେନା ଶନିବାର ରାଜ ନିବାସରେ ଆୟୋଜିତ ଏକ ସରଳ ସମାରୋହରେ ଅତିଶୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ, ଯାହାଦ୍ୱାରା ଅତିଶୀ ଦିଲ୍ଲୀର ତୃତୀୟ ଏବଂ ସର୍ବକନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ।

ତାଙ୍କ ସହ ଆପ୍ ବିଧାୟକ ଗୋପାଳ ରାୟ, ସୌରଭ ଭରଦ୍ୱାଜ, କୈଳାଶ ଗେହଲଟ, ଇମ୍ରାନ ହୁସେନ୍ ଏବଂ ମୁକେଶ ଅହଲାୱତ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

ସୁଲତାନପୁର ମାଜ୍ରାର ବିଧାୟକ ମୁକେଶ ଅହଲୱାଟ ପ୍ରଥମ ଥର ପାଇଁ ଦିଲ୍ଲୀ ସରକାରରେ ମନ୍ତ୍ରୀ ହୋଇଛନ୍ତି। ଗୋପାଳ ରାୟ , ସୌରଭ ଭରଦ୍ୱାଜ, କୈଳାଶ ଗେହଲଟ, ଇମ୍ରାନ ହୁସେନ୍ ମଧ୍ଯ ଅରବିନ୍ଦ କେଜ୍ରିୱାଲ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ।

ଏହାପୂର୍ବରୁ ସେପ୍ଟେମ୍ବର ୧୭ ରେ, ଅରବିନ୍ଦ କେଜ୍ରିୱାଲ ଅବକାରୀ ନୀତି ସମ୍ବନ୍ଧୀୟ ଏକ ମାମଲାରେ ତିହାର ଜେଲରୁ ଜାମିନରେ ମୁକ୍ତ ହେବା ପରେ ମୁଖ୍ଯମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଆପ ବିଧାୟକ ଦଳ ବୈଠକରେ ଅତିଶୀ ସର୍ବସମ୍ମତିକ୍ରମେ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!