ସାମାଜିକ ପରିବର୍ତ୍ତନ ପାଇଁ ଛାତ୍ରସମାଜ ଆଗଭର ହୁଅନ୍ତୁ: ଏସ.ଏଫ୍.ଆଇ

ପୁରୀ (ସମୀର ରଞ୍ଜନ ନାୟକ ): ଅସମାନତା ଓ ବୈଷମ୍ୟ ଦୂରୀଭୂତ କରି ନୂତନ ସମାଜ ଗଢ଼ିବା ପାଇଁ ଅଧିକରୁ ଅଧିକ ଛାତ୍ର ପ୍ରତ୍ୟକ୍ଷ ଭାବେ ରାଜନୀତିରେ ସଂମ୍ପୃକ୍ତ ହୁଅନ୍ତୁ ବୋଲି ଭାରତର ଛାତ୍ର ଫେଡେରେସନ୍ ( ଏସ ଏଫ୍ ଆଇ ) ପକ୍ଷରୁ ଆହ୍ଵାନ ଦିଆଯାଇଛି । ଏସ ଏଫ୍ ଆଇ ରାଜ୍ୟ ସାଂଗଠାନିକ କମିଟି ପକ୍ଷରୁ ସୀତାରାମ ୟେଚୁରୀ ସ୍ମୃତି ସ୍ମାରକୀ ଶିକ୍ଷା ଓ ତାଲିମ ଶିବିରରେ ପ୍ରଥମ ଅଧିବେଶନରେ ” ଭାରତର ସ୍ଵାଧୀନତା ସଂଗ୍ରାମ ” ବିଷୟ ଉପରେ ଶିକ୍ଷାଦାନ କରି ପ୍ରାଧ୍ୟାପକ ସୁରେନ୍ଦ୍ର କୁମାର ଜେନା କହିଲେ ଯେ ଶହ ଶହ ବିପ୍ଳବୀଙ୍କ ଆତ୍ମବଳିଦାନ ଓ ଜନଗଣଙ୍କ ଆନ୍ଦୋଳନ ଫଳରେ ବ୍ରିଟିଶ ଉପନିବେଶ ହାତରୁ ଭାରତ ସ୍ବାଧିନତା ହାସଲ କରିଥିଲା । ଭାରତକୁ ଏକ ଧର୍ମନିରପେକ୍ଷ ସମାଜବାଦୀ ସାଧରଣତନ୍ତ୍ର ସମାଜରେ ପରିଣତ କରିବା ପାଇଁ ସମ୍ବିଧାନରେ ଉଲ୍ଲେଖ କରାଯାଇଥିବା ନୀତି ଓ ଆଦର୍ଶ ଏବେ ବିପନ୍ନ ହେବାକୁ ବସିଛି ।

ବହୁଜାତିକ ଏକଚାଟିଆ କମ୍ପାନୀ ମାନଙ୍କ ନିର୍ଦ୍ଦେଶିତ ଉଦାରବାଦି ଅର୍ଥନୀତି ଓ ସାମ୍ପ୍ରଦାୟିକ ଫାଶୀବାଦୀ ଶକ୍ତିଙ୍କ ମଧ୍ୟରେ ଗଢି ଉଠିଥିବା ମେଣ୍ଟ ଜନଗଣଙ୍କ ଦୁର୍ଦ୍ଦଶା ବଢିବା ଓ ଏକତା ଭାଙ୍ଗିବାରେ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି । ଦ୍ୱିତୀୟ ଦିନର ପ୍ରଥମ ଅଧିବେଶନରେ ଓଡ଼ିଶା କୃଷକ ସଭାର ରାଜ୍ୟକମିଟି ସଦସ୍ୟ ତଥା ବିଶିଷ୍ଟ ଅର୍ଥନୀତିବିତ୍ ଶିବ ଶଙ୍କର ମହାନ୍ତି ” ଅର୍ଥନୀତିର ମୌଳିକ ଅବଧାରଣା ଓ ସାମ୍ପ୍ରତିକ ଦେଶର ଆର୍ଥିକ ସ୍ଥିତି ” ବିଷୟ ଉପରେ ଶିକ୍ଷାଦାନ କରି କହିଲେ ଯେ ସାମ୍ରାଜ୍ୟବାଦୀ ଜଗତୀକରଣ ନୀତି ଭାରତ ଗ୍ରହଣ କରିବା ଯୋଗୁଁ ଦେଶରେ ଆର୍ଥିକ ଅସମାନତା ଓ ବୈଷମ୍ୟ ଖୁବ୍ ତୀବ୍ର ହୋଇଛି । ଦେଶର କୃଷି ସଙ୍କଟ, ଚାଷୀ ଆତ୍ମହତ୍ୟା , ନିଯୁକ୍ତି ହୀନତା ଓ ଦରବୃଦ୍ଧି ପଛରେ ଏହାହିଁ ମୁଖ୍ୟ କାରଣ।

ତୃତୀୟ ଦିନ ଅଧିବେଶନରେ ଗୃହୀତ ପ୍ରସ୍ତାବରେ ଶିକ୍ଷାନୀତି -୨୦୨୦ କୁ ପ୍ରତ୍ୟାଖ୍ୟାନ କରିବାକୁ ଦାବି କରାଯାଇଛି । ସରକାର ଶିକ୍ଷା କ୍ଷେତ୍ରରେ ଦେଶର ମୋଟ ଜାତୀୟ ଉତ୍ପାଦନର ୬ ଭାଗ ଶିକ୍ଷା ପାଇଁ ବିନିଯୋଗ କରିବାକୁ ଓ ଶିକ୍ଷା ବ୍ୟବସାୟ ନିୟତ୍ରଣ କରିବା ପାଇଁ କେନ୍ଦ୍ର ଆଇନ ଆଣିବାକୁ ଦାବି କରାଯାଇଛି । ରାଜ୍ୟ ଆବାହକ ଶୁଭ୍ରାଂଶୁ ଶେଖର ଉଦଗାତା ଶିକ୍ଷା ଶିବିରକୁ ଉଦଘାଟନ କରିଥିଲେ ଓ ଛାତ୍ର ନେତା ଅଭିଳାଷ ମଲ୍ଲିକ ଉଦଯାପନ ଅଭିଭାଷଣ ପ୍ରଦାନ କରିଥିଲେ । ପୁରୀ ଠାରେ ଅକ୍ଟୋବର ୯,୧୦,୧୧ ତିନି ଦିନ ଧରି ଏହି ଶିକ୍ଷା ଶିବିରର ଅଧିବେଶନ ମାନଙ୍କରେ ଛାତ୍ରନେତା ଚନ୍ଦନ ସାହୁ, ମୋନାଲିସା ମହାରଣା, ରାକ୍ଷୀ ସ୍ୱାଇଁ , ମାନସ ରଞ୍ଜନ ଦଳବେହେରା, ସ୍ମୃତି ସୁରଞ୍ଜନ ଜେନା , ରଶ୍ମିତା ମହାରଣା , ଲିପୁ ବଳିଆରସିଂହ ପ୍ରମୁଖ ସଭାପତିତ୍ବ କରିଥିଲେ । ବିଭିନ୍ନ ଜିଲ୍ଲାରୁ ସଂଗଠନର ଆଗୁଆ ସାଥୀମାନେ ଶିକ୍ଷା ଶିବିରରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!