ଭାଇର ମଙ୍ଗଳକାମନା କରି ଭାଇଜିଉଁନ୍ତିଆ ଓଷା ପାଳନ କଲେ ଭଉଣୀମାନେ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ):ଗତକାଲି ଭାଇ ଜିଉନ୍ତିଆ ଓଷା। ପଶ୍ଚିମ ଓଡ଼ିଶାର ଅନେକ ପର୍ବ ମଧ୍ୟରୁ ଆଉ ଏକ ମହାନ ପର୍ବ ହେଉଛି ଏହି ଓଷା । ଭାଇର ମଙ୍ଗଳ କାମନା ପାଇଁ ଉପବାସ କରି ମା’ ଦୁର୍ଗାଙ୍କ ଠାରେ ପୂଜାର୍ଚ୍ଚନା କରିଥାନ୍ତି ଭଉଣୀ ମାନେ । ଭାଇ ଭଉଣୀର ପବିତ୍ର ସଂପର୍କ ଭିତରେ ଭଉଣୀର ରକ୍ଷା କବଚ ପାଲଟିଥାଏ ଭାଇ । ଏଥିପାଇଁ ଭାଇର ମଙ୍ଗଳ କାମନା ସହ ଦୀର୍ଘଜୀବନ କାମନା ପାଇଁ ଭଉଣୀ ରଖେ ଉପବାସ। ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡିଶାର ପୁରପଲ୍ଲୀରେ ପାଳିତ ହୋଇଛି ଭାଇ ଜିଉନ୍ତିଆ ଓଷା ।ସେପଟେ କିନ୍ତୁ ସୁବର୍ଣ୍ଣପୁରରେ ଭାଇ ଜିଉନ୍ତିଆ ପର୍ବକୁ ନେଇ ରହିଛି ଏକ ନିଆରା ପରମ୍ପରା । ସ୍ବୟଂ ଦେବୀ ମା’ ଦୁର୍ଗା ନିଜ ଦେବ ସ୍ବରୁପ ଭାଇ ମହାବଳୀ ପାଇଁ ଭାଇ ଏହି ବ୍ରତ ପାଳନ କରନ୍ତି ।

ଦୁର୍ଗାଦେବୀ ଭାଇ ଜିଉନ୍ତିଆ ପାଇଁ ମା ଖମ୍ବେଶ୍ବରୀ ମନ୍ଦିରକୁ ବିଜେ କରିବା ପରେ ଭଉଣୀମାନେ ଏହି ଓଷା ପାଳନ କରନ୍ତି । ଦେବୀ ମା କନକ ଦୁର୍ଗାଙ୍କ ଅଷ୍ଟମୀ ପୂଜା ପରେ ସାରା ସୁବର୍ଣ୍ଣପୁର ସହରର ଭଉଣୀମାନେ ଏହି ଭାଇ ଜିଉନ୍ତିଆ ପର୍ବ ପାଳନ କରିଥାନ୍ତି । ଦିନ ସାରା ନିର୍ଜଳା ଉପବାସ ରହି ସଂଧ୍ୟାରେ ଧୂପ ଦୀପ ନୈବେଦ୍ୟ ଆଦି ଦୁର୍ଗା ଦେବୀଙ୍କୁ ଅର୍ପଣ କରିଥାନ୍ତି ।ଭାଇର ମଙ୍ଗଳକାମନା କରି ପ୍ରତିଟି ଭାଇ ପାଇଁ ୧୦୮ ଦୁବ ଓ ଅକ୍ଷତ ବିଡାକୁ ବିଭିନ୍ନ ପ୍ରକାରର ଫଳ ଓ ପୁଲ ସହିତ ଜିଉନ୍ତିଆ ଅକ୍ଷତ ଅରୁଆ ଚାଉଳ ଦେଇ ଦୁର୍ଗା ଦେବୀଙ୍କ ପାଖରେ ସମର୍ପିତ କରିଥାନ୍ତି । ଘରକୁ ଆସି ଭଉଣୀ ମାନେ ଜିଉନ୍ତିଆକୁ ଧରି ଭାଇମାନଙ୍କୁ ବନ୍ଦାପନା କରିବା ସହ ଜିଉନ୍ତିଆକୁ ଭାଇମାନଙ୍କର ହାତରେ ବାନ୍ଧିଦିଅନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!