ନୂଆଦିଲ୍ଲୀ :ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ମାଗଣା ଉପହାର ବିରୋଧରେ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ନିର୍ବାଚନ ଆୟୋଗଙ୍କୁ ନୋଟିସ୍ ଜାରି କରିଛନ୍ତି. ଏହି ମାମଲାକୁ ଅନ୍ଯ ପିଟିସନ୍ ସହିତ ଯୋଡ଼ିଛନ୍ତି।
ଆବେଦନକାରୀ ଅନୁରୋଧ କରିଛନ୍ତି ଯେ ବିଧାନସଭା କିମ୍ବା ସାଧାରଣ ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ମାଗଣା ଉପହାର, ବିଶେଷ କରି ନଗଦ ଆକାରରେ, ଲାଞ୍ଚ ବୋଲି କୁହାଯିବ। କର୍ଣ୍ଣାଟକର ବାସିନ୍ଦା ଶଶାଙ୍କ ଜେ ଶ୍ରୀଧର ଏହି ପିଟିସନ୍ ଦାଖଲ କରିଛନ୍ତି।
ଏହି ଆବେଦନରେ ନିର୍ବାଚନ ଆୟୋଗଙ୍କୁ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନଙ୍କୁ ମାଗଣା ପ୍ରତିଶ୍ରୁତି ଦେବାରୁ ରୋକିବା ପାଇଁ ତୁରନ୍ତ ଏବଂ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି। ଆବେଦନକାରୀଙ୍କ ଓକିଲ ବାଲାଜୀ ଶ୍ରୀନିବାସନ୍ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ସମ୍ମୁଖରେ ଏହି ମାମଲା ଉଠାଇଥିଲେ। ବିଧାନସଭା କିମ୍ବା ସାଧାରଣ ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ମାଗଣା ଉପହାର, ବିଶେଷ କରି ନଗଦ ଆକାରରେ ପ୍ରତିଶୃତି ଦେବା, ଲୋକ ପ୍ରତିନିଧି ଅଧିନିୟମ, ୧୯୫୧ ଅନୁଯାୟୀ ଭୋଟ ପାଇଁ ଲାଞ୍ଚ କିମ୍ବା ପ୍ରଲୋଭନ ବୋଲି ବିବେଚନା କରାଯିବା ଉଚିତ ବୋଲି ସେ କହିଛନ୍ତି।
କେନ୍ଦ୍ରସରକାର ଓ ନିର୍ବାଚନ କମିଶନଙ୍କୁ ନୋଟିସ
ବେଙ୍ଗାଲୁରୁର ବାସିନ୍ଦା ଶଶାଙ୍କ ଜେ ଶ୍ରୀଧରଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼, ବିଚାରପତି ଜେ. ବି. ପାର୍ଡିୱାଲା ଏବଂ ବିଚାରପତି ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଭାରତ ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ ନୋଟିସ୍ ଜାରି କରିଛନ୍ତି। ଓକିଲ ଶ୍ରୀନିବାସନ୍ଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ ନିର୍ବାଚନ ଆୟୋଗଙ୍କୁ ନିର୍ବାଚନ ପୂର୍ବ ଅବଧିରେ ରାଜନୈତିକ ଦଳମାନଙ୍କୁ ମାଗଣା ପ୍ରତିଶ୍ରୁତି ଦେବାରୁ ରୋକିବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାକୁ ମଧ୍ଯ ଅନୁରୋଧ କରାଯାଇଥିଲା। ଆବେଦନରେ କୁହାଯାଇଛି, “ମାଗଣା ଉପହାରର ଅନିୟମିତ ପ୍ରତିଶ୍ରୁତି ରାଜକୋଷ ଉପରେ ଏକ ହିସାବ ବହିର୍ଭୁତ ଆର୍ଥିକ ବୋଝ ପକାଇଥାଏ । ଅଧିକନ୍ତୁ, ନିର୍ବାଚନ ପୂର୍ବ ପ୍ରତିଶ୍ରୁତିର ପରିପୂରଣ ସୁନିଶ୍ଚିତ କରିବା ପାଇଁ କୌଣସି ବ୍ଯବସ୍ଥା ନାହିଁ ଯାହା ଦ୍ୱାରା ଏହାକୁ କାର୍ଯ୍ଯକାରୀ କରାଯାଇପାରିବ।
ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାକୁ ସମାନ ପ୍ରସଙ୍ଗରେ ଅନ୍ଯ ପିଟିସନ ସହିତ ଯୋଡ଼ିଥିଲେ। ନିର୍ବାଚନ ସମୟରେ ମାଗଣା ଉପହାରର ପ୍ରତିଶ୍ରୁତି ଦେଉଥିବା ରାଜନୈତିକ ଦଳଗୁଡ଼ିକର ଅଭ୍ୟାସ ବିରୁଦ୍ଧରେ ପିଟିସନର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ ରାଜି ହୋଇଥିଲେ। ଓକିଲ ତଥା ଜନସ୍ୱାର୍ଥ ମାମଲା ଆବେଦନକାରୀ ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ବିଜୟ ହଂସାରିଆ ଏହି ମାମଲାର ତୁରନ୍ତ ଶୁଣାଣି ପାଇଁ ଅନୁରୋଧ କରିଥିଲେ।