ହବିଷ୍ୟାଳିଙ୍କ କାର୍ତ୍ତିକ ବ୍ରତ ଓ ରାଈଦାମୋଦର ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଆସନ୍ତା ୧୭ ତାରିଖଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ। ପୁଣ୍ୟ ମାସ କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ଶ୍ରୀମନ୍ଦିରରେ ଭିଡ଼ ଲଗାଇଛନ୍ତି ଭକ୍ତ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ସେପଟେ ଗୁରୁବାରଠାରୁ ହବିଷିଆଳି ମା’ମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିବା ସହ ହବିଷ୍ୟାନ୍ନ ଗ୍ରହଣ କରିବେ। ଏଣୁ କାର୍ତ୍ତିକ ବ୍ରତଧାରୀ ହବିଷିଆଳି ମା’ମାନେ ବ୍ରତ ପାଳନ ପାଇଁ ଆଜିଠାରୁ ନିଜର ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଧରି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି।ଯେଉଁମାନେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଥିବା ହବିଷିଆଳି ଶିବିରରେ ମାଗଣାରେ ରହିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି, ସେମାନେ ୪ଟି ହବିଷିଆଳି ଶିବିରରେ ରହିବେ। ସେଠାରେ ହବିଷିଆଳି ମାନଙ୍କର ରହିବା, ଖାଇବା ଆଦିର ବ୍ୟବସ୍ଥା କରାଯାଇଛି। ସମସ୍ତଙ୍କୁ ସ୍ବତନ୍ତ୍ର ପରିଚୟପତ୍ର ବଣ୍ଟନ କରାଯିବ। ବାକି ଯେଉଁମାନେ ନାମ ପଞ୍ଜୀକରଣ କରିନାହାନ୍ତି, ସେମାନେ ଭଡ଼ାରେ ଅବା ମଠ, ମନ୍ଦିର ଆଦିରେ ରହି ବ୍ରତ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ପ୍ରତିବର୍ଷ ଭଳି ଚଳିତବର୍ଷ ବି କାର୍ତ୍ତିକ ବ୍ରତ ପାଳନ କରୁଥିବା ମା’ମାନଙ୍କ ପାଇଁ ପ୍ରତିଦିନ ଶ୍ରୀମନ୍ଦିର ଯା’ଆସ ଓ ମହାପ୍ରଭୁଙ୍କ ରାଈଦାମୋଦର ବେଶ ଦର୍ଶନ ପାଇଁ ସ୍ବତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଛି। ସେପଟେ କେଉଁ ଶିବିରରେ କେଉଁ ଜିଲ୍ଲାର ହବିଷିଆଳି ରହିବେ, ତା’ର ସାରଣୀ ମଧ୍ୟ ପ୍ରସ୍ତୁତ ହୋଇଛି। ଚଳିତବର୍ଷ ନରେନ୍ଦ୍ରକୋଣ ବୃନ୍ଦାବତୀ ନିବାସ, ବଡ଼ଦାଣ୍ଡ ଅକ୍ଷୟପାତ୍ର ଫାଉଣ୍ଡେସନ୍‌ ଗୃହ, ବଗଲା ଧର୍ମଶାଳା ଓ ମୋଚିସାହି କଲ୍ୟାଣମଣ୍ଡପରେ ହବିଷିଆଳିଙ୍କ ରହିବା ବ୍ୟବସ୍ଥା କରାଯାଇଛି। ହବିଷିଆଳି ଶିବିରରେ ମହାପ୍ରସାଦର ବ୍ୟବସ୍ଥା ସହ ଦୈନିକ ସନ୍ଧ୍ୟାରେ ପ୍ରବଚନ ଓ ଭଜନକୀର୍ତ୍ତନର ବ୍ୟବସ୍ଥା କରାଯାଇଛି। ଦୈନିକ ମହାପ୍ରଭୁଙ୍କ ଦର୍ଶନ ପରେ ଅନ୍ନଗ୍ରହଣ କରିଥାନ୍ତି ବ୍ରତଧାରୀ। ସକାଳେ ମହାପ୍ରଭୁଙ୍କ ଦର୍ଶନ କରାଇବା ପରେ ଅପରାହ୍ଣ ଅବା ସନ୍ଧ୍ୟାରେ ମହାପ୍ରସାଦ ସେବନର ବ୍ୟବସ୍ଥା କରିଛି।ସୂଚନାଯୋଗ୍ୟ, ଗତ ୧୪ ତାରିଖରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବାଳଧୂପ ନୀତିକାନ୍ତି ଆରମ୍ଭ ହୋଇସାରିଛି।

ଏହି ଅବସରରେ ମହାପ୍ରଭୁ ଦୈନିକ ସକାଳୁ ରାଈଦାମୋଦର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। କାର୍ତ୍ତିକ ମାସରେ ପ୍ରତିଦିନ ‌ଭୋର୍‌ ୪ଟାରେ ଦ୍ବାରଫିଟା ନୀତି ସଂପନ୍ନ ହେବ। ଦୈନନ୍ଦିନ ନୀତିକାନ୍ତି ପରେ ରାତି ୧୨ଟା ସୁଦ୍ଧା ପହୁଡ଼ କରିବାକୁ ଚୂଡ଼ାନ୍ତ ହୋଇଛି। ସେପଟେ ଏଥର ପଞ୍ଚୁକ ୫ ଦିନ ବଦଳରେ ୪ ଦିନ ପାଳିତ ହେବ। ସେହି ଅନୁସାରେ ୪ ଦିନ ମହାପ୍ରଭୁ ସ୍ବତନ୍ତ୍ର ବେଶରେ ଦର୍ଶନ ଦେବେ। ନଭେମ୍ବର ୧୧ ସୋମବାର ଦିନ ଅବକାଶ ପରେ ମହାପ୍ରଭୁଙ୍କ ହରିହର ବେଶ ଅନୁଷ୍ଠିତ ହେବ। ନଭେମ୍ବର ୧୨ରେ ଠିଆକିଆ ବେଶ ବା ଲକ୍ଷ୍ମୀନାରାୟଣ ବେଶ ଓ ହରିଉତ୍‌ଥାପନ ନୀତି, ନଭେମ୍ବର ୧୩ରେ ବାଙ୍କଚୁଡ଼ ବେଶ ବା ବାମନ ବେଶ ଓ ଗରୁଡ଼ ଉତ୍‌ଥାପନ ନୀତି, ନଭେମ୍ବର ୧୪ରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ନଭେମ୍ବର ୧୫ରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ଏହିଦିନ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।

Leave a Reply

Your email address will not be published. Required fields are marked *

error: Content is protected !!