ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।ଏହି ବାତ୍ୟା ଦ୍ବାରା ଯେପରି ଧନ ଜୀବନ ହାନୀକୁ ରୋକାଯାଇ ପାରିବ ସେଥି ପ୍ରତି ପ୍ରତ୍ୟେକ ସତର୍କ ରହିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଆଜି ଅପରାହ୍ନରେ ଓସୱ୍ବାନ ପ୍ଲାଟଫର୍ମ ରେ ଆଭାସୀ ମାଧ୍ୟମରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସ୍ବାଇଁ ଏହି ବାତ୍ୟା ଓଡିଶା ଉପକୂଳ ରେ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଆମକୁ ଅଧିକ ସତର୍କ ଓ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ।

ସମସ୍ତ ବିଡ଼ିଓ ଓ ତହସିଲଦାର ସେମାନଙ୍କ ଅଞ୍ଚଳର ଖାଲୁଆ ଓ ତଳିଆ ଅଞ୍ଚଳକୁ ଚିହ୍ନଟ କରି ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଅଞ୍ଚଳର ଲୋକ ଙ୍କୁ ନିରାପଦ ସ୍ଥାନ କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ସେହିପରି କଚ୍ଚା ଘର,ଚାଳ ଓ ମାଟି ଘରର ଲୋକ ମାନଙ୍କୁ ମଧ୍ୟ ନିରାପଦ ସ୍ଥାନ କୁ ନେବାକୁ ସେ ପରାମର୍ଶ ଦେଇଥିଲେ।ଅପରପକ୍ଷରେ ଜିଲ୍ଲା ପ୍ରଶାସନ ସମସ୍ତ କାର୍ଯ୍ୟ କୁ ଅତି ଗୁରୁତ୍ୱ ର ସହ ପରିଚାଳନା କରୁଛନ୍ତି।ଜନ ସାଧାରଣ ସତର୍କ ଓ ସଚେତନ ରହିବା ସହ ଅଯଥା ଭୟଭୀତ ନ ହେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।ବାତ୍ୟା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କ ଛୁଟି ବାତିଲ କରାଯାଇଛି।ପଲିଥିନ, ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ,ଔଷଧ, ଗୋ ଖାଦ୍ୟ ଇତ୍ୟାଦି ମହଯୁଦ ରଖିବାକୁ ବିଭାଗୀୟ ଅଧିକାରୀ ମାନ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବନ୍ୟା ହେଲେ ଲୋକ ଙ୍କୁ ସହାୟତା କରିବା ପାଇଁ ଅଗ୍ନିଶମ,ଓଡ୍ରାଫ ଓ ଏନଡିଆରଏଫ ଟିମ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ଜନ ପ୍ରତିନିଧି, ସ୍ବେଚ୍ଛାସେବୀ ଅନୁଷ୍ଠାନ, ସରକାରୀ କର୍ମଚାରୀ ପରସ୍ପର ସମନ୍ୱୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି।ସମସ୍ତ ୧୧ଗୋଟି ବ୍ଲକ ମଧ୍ୟରୁ ଉପକୂଳ ବର୍ତ୍ତୀ ଅସ୍ତରଙ୍ଗ, କାକଟପୁର, ଗୋପ,ପୁରୀ ସଦର, ବ୍ରହ୍ମଗିରି ଓ କୃଷ୍ଣ ପ୍ରସାଦ ବ୍ଲକକୁ ଅତ୍ୟଧିକ ବାତ୍ୟା ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଜିଲ୍ଲାରେ ୧୭୯ ଟି ବାତ୍ୟା ଆଶ୍ରୟ ସ୍ଥଳ ରହିଛି।ନିକଟରେ ପ୍ରସବ ଥିବା ୮୫୬ ଗର୍ଭବତୀ ମା ମାନଙ୍କୁ ଚିହ୍ନଟ କରାଯାଇଛି ଓ ସେମାନଙ୍କୁ ଚିକିତ୍ସାଳୟ କୁ ଅଣାଯିବ।

ବୈଠକରେ ଏସ ପି ବିନୀତ ଅଗ୍ରୱାଲ,ଡିଏଫଓ ବିବେକ କୁମାର,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପ ଜିଲ୍ଲାପାଳ ଗୋପୀନାଥ କୁଅଁର, ପୌର ନିର୍ବାହୀ ଅଭିମନ୍ୟୁ ବେହେରା,ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା,ଜରୁରୀ ବିଭାଗ ଅଧିକାରୀ ମନୀଷା ଷଡ଼ଙ୍ଗୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!