ଅଦିନିଆ ରଥଯାତ୍ରାକୁ ବିରୋଧ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ଅଦିନିଆ ରଥଯାତ୍ରାକୁ ନେଇ ବିବାଦ। ଆମେରିକାର ଟେକ୍କାସ ରାଜ୍ୟରେ ଥିବା ହୁଷ୍ଟନ୍ ସହରରେ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ନଭେମ୍ବର ୩ ତାରିଖରେ ସ୍ନାନ ଯାତ୍ରା ଏବଂ ନଭେମ୍ବର ୯ ତାରିଖରେ ଇସ୍କନ ଏହି ରଥଯାତ୍ରା ଆୟୋଜନ କରିବାକୁ ଯାଉଛି । ଯାହାକୁ ନେଇ ଦେଖାଦେଇଛି ବଡ଼ ବିବାଦ । ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ହୁଷ୍ଟନର ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି । କୋଟି କୋଟି ଜଗନ୍ନାଥ ପ୍ରେମୀ ମଧ୍ୟ ଏଭଳି ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।

ଶ୍ରୀକ୍ଷେତ୍ର ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରତିବର୍ଷ ଆଷାଢ ମାସ ଶୁକ୍ଳପକ୍ଷ ଦ୍ବିତୀୟ ତିଥିରେ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଆମେରିକାର ହୁଷ୍ଟନ ସହରରେ କେମିତି ଅଦିନରେ ଇସ୍କନ୍ ରଥଯାତ୍ରା ଆୟୋଜନ କରୁଛି, ତାହା ବଡ଼ ବିବାଦ ଛିଡ଼ା କରିଛି । ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ଅଦିନିଆ ରଥଯାତ୍ରାକୁ ନେଇ ଆପତ୍ତି ଉଠାଇଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହଦେବ । ପୂର୍ବରୁ ଆମେରିକାରେ ମଧ୍ୟ ଏଭଳି ଅଦିନିଆ ରଥଯାତ୍ରା ହୋଇଥିଲା, ଯାହାକୁ ନେଇ ପ୍ରଶ୍ନ ଉଠାଇଥିଲେ ପୁରୀ ଗଜପତି ମହାରାଜା । ୨୦୦୮ ମସିହାରେ ପଶ୍ଚିମବଙ୍ଗ ମାୟାପୁରର ଇସ୍କନ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚିଠି ଲେଖି ଶାସ୍ତ୍ର ଓ ପରମ୍ପରା ବିରୁଦ୍ଧରେ ରଥଯାତ୍ରା ନକରିବାକୁ ନିବେଦନ କରିଥିଲେ ପୁରୀ ଗଜପତି ମହାରାଜା।

Leave a Reply

Your email address will not be published. Required fields are marked *

error: Content is protected !!