ବରଗଡ଼ (ରିପୋର୍ଟ – ମୁକୁନ୍ଦ ଦାସ ) : ଅନ୍ୟାନ ପଛୁଆ ବର୍ଗ (ଓବିସି) ମାନଙ୍କ ବିଭିନ୍ନ ପ୍ରସଙ୍ଗ ଯଥା ଶିକ୍ଷା,ଚାକିରୀ ଓ ରାଜନୀତି କ୍ଷେତ୍ରରେ ସଂରକ୍ଷଣ ଲାଗୁ କରିବା ଦାବୀ ରେ ଓବିସି ସୁରକ୍ଷା ମଞ୍ଚ, ଓଡିଶା ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଶନିବାର ବରଗଡ଼ ଗୋବିନ୍ଦପାଲି ସ୍ଥିତ ପଲ୍ଲଵ ପେଲେସ ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ଓବିସି ସଂଖ୍ୟା ୫୨ ପ୍ରତିଶତ ଥିବା ବେଳେ ସଂରକ୍ଷଣ ନାମରେ କୌଣସି ସୁବିଧା ସୁଯୋଗ ମିଳୁନଥିବା ଅତ୍ୟନ୍ତ ପରିତାପର ବିଷୟ ବୋଲି କହିଛନ୍ତି ବରିଷ୍ଠ ସଦସ୍ୟ ବୃଷଭାନୁ ସାହୁ। ତେଣୁ ରାଜ୍ୟ ସରକାର ଓବିସି ବର୍ଗ ର ଜନଗଣନା କରି ସେହି ଅନୁପାତ ରେ ସଂରକ୍ଷଣ ଲାଗୁ କରନ୍ତୁ ବୋଲି ଶ୍ରୀ ସାହୁ କହିଛନ୍ତି।
ରାଜନୀତି କ୍ଷେତ୍ରରେ ମଧ୍ୟ ଓବିସି ସଂରକ୍ଷଣ ସମ୍ପୂର୍ଣ ବନ୍ଦ କରି ଦିଆ ଯାଇଥିବାରୁ ଏହା ପ୍ରତାରଣା ପାଲଟିଛି ବୋଲି ସଭାପତି ଷଢାନନ ଭୋଇ କହିଛନ୍ତି। ତେଣୁ ଓବିସି ମାନଙ୍କ ସମ୍ବିଧାନିକ ଅଧିକାର କୁ ସାବ୍ୟସ୍ତ କରିବା ଲକ୍ଷ୍ୟ ରେ ଆଗାମୀ ଦିନରେ ସଂଗଠନ କୁ ମଜବୁତ କରିବା ପାଇଁ ବୈଠକ ରେ ନିଷ୍ପତ୍ତି ହୋଇଛି। ଆସନ୍ତା ନଭେମ୍ବର ୧୦ ତାରିଖ ରବିବାର ବରଗଡ଼ ପଲ୍ଲଵ ପେଲେସରେ ଓବିସି ର ସାଧାରଣ ସଭା ଅନୁଷ୍ଠିତ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ବୈଠକ ରେ ସମ୍ପାଦକ ବୈଷ୍ଣବ ଚରଣ ତ୍ୟାଗୀ, କୋଷାଧକ୍ଷ ପଦ୍ମଲୋଚନ ସାହୁ, ଶ୍ରୀମନ୍ତ ବାରିକ, ହୃଷିକେଶ ପ୍ରଧାନ, ଶ୍ରୀପତି ଭୋଇ, କିଶୋର ସାହୁ, ଯଦୁମଣି ପ୍ରଧାନ, ଜଗନ୍ନାଥ ସାହୁ, ଦାମୋଦର ସରାଫ,ଭବାନୀ ସାହୁ,ଲୋକେଶ୍ଵର ପ୍ରଧାନ, ନବୀନ ନାଏକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।